ନୂଆଦିଲ୍ଳୀ,୨୨/୩ : ଭାରତ ଗସ୍ତରେ ଆସିବେ ଇସ୍ରାଏଲର ପ୍ରଧାନମନ୍ତ୍ରୀ ନେଫତାଲୀ ବେନେଟ । ଏପ୍ରିଲ ୩ରୁ ୫ ଯାଏ ସେ ଭାରତରେ ରହିବେ । ଉଭୟ ଦେଶ ମଧ୍ୟରେ ଏକାଧିକ ବୈଠକ ହେବ । ଭାରତ ଏବଂ ଇସ୍ରାଏଲର ରାଜନୈତିକ ସମ୍ପର୍କର ୩୦ ବର୍ଷପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିବେ । ଉଲ୍ଲେଖଯୋଗ୍ୟ ଯେ, ପ୍ରଧାନମନ୍ତ୍ରୀ ମୋଦୀ ଇସ୍ରାଏଲ ପ୍ରଧାନମନ୍ତ୍ରୀ ନେଫତାଲୀ ବେନେଟଙ୍କୁ ଆମନ୍ତ୍ରିତ କରିଥିଲେ । ଗ୍ଲାସଗୋରେ ମିଳିତ ଜାତିସଂଘର ଜଳବାୟୁ ପରିବର୍ତ୍ତନ ସମ୍ମିଳନୀରେ ଦୁଇ ଦେଶର ରାଷ୍ଟ୍ରମୁଖ୍ୟ ପରସ୍ପରକୁ ଭେଟିଥିଲେ । ସେହି ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ନଫତାଲୀଙ୍କୁ ଭାରତ ଆସିବା ପାଇଁ ନିମନ୍ତ୍ରଣ ଦେଇଥିଲେ । ଗସ୍ତକୁ ନେଇ ଦୁଇ ଦେଶର ରାଷ୍ଟ୍ରମୁଖ୍ୟ ଅଧିକ ଉତ୍ସାହିତ ଅଛନ୍ତି । ଇସ୍ରାଏଲ ଗଣମାଧ୍ୟମ ପରାମର୍ଶଦାତାଙ୍କ ସୂଚନା ଅନୁସାରେ, ଦୁଇ ଦେଶ ମଧ୍ୟରେ ରଣନୈତିକ ସମ୍ପର୍କକୁ ଅଧିକ ମଜବୁତ କରିବା ଏହି ଗସ୍ତର ଲକ୍ଷ୍ୟ । ଏହାସହ ଦୁଇ ଦେଶର ଅର୍ଥବ୍ୟବସ୍ଥା, ରିସର୍ଚ୍ଚ ଏବଂ ଡେଭପଲମେଣ୍ଟ, କୃଷି, ନବସୃଜନ ଏବଂ ଅନ୍ୟ ପ୍ରସଙ୍ଗ ଉପରେ ଆଲୋଚନା କରାଯିବ ।