ସ୍ଥଗିତ ହେଲା ଜେଇଇ ମେନ୍

ନୂଆଦିଲ୍ଲୀ: ସ୍ଥଗିତ ହେଲା ୨୦୨୧ ଏପ୍ରିଲ୍ ସେସନ୍‌ର ଯୁଗ୍ମ ପ୍ରବେଶିକା ପରୀକ୍ଷା (ମେନ୍‌) ବା ଜେଇଇ(ମେନ୍‌) । ଦେଶରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏହି ପ୍ରବେଶିକା ପରୀକ୍ଷାକୁ ସ୍ଥଗିତ ରଖାଯାଇଛି । ଜେଇଇ (ମେନ୍‌)ର ନୂଆ ତାରିଖ ପରୀକ୍ଷାର ୧୫ ଦିନ ପୂର୍ବରୁ ଘୋଷଣା କରାଯିବ ବୋଲି ନ୍ୟାସ୍‌ନାଲ୍ ଟେଷ୍ଟିଂ ଏଜେନ୍ସୀ (ଏନ୍‌ଟିଏ) ପକ୍ଷରୁ ସୂଚନା ଦିଆଯାଇଛି । ସୂଚନାଯୋଗ୍ୟ, ଚଳିତ ମାସ ୨୭, ୨୮, ୩୦ରେ ଏହି ପ୍ରବେଶିକା ପରୀକ୍ଷା କରିବାକୁ ପୂର୍ବରୁ ଘୋଷଣା କରାଯାଇଥିଲା । ଚଳିତ ବର୍ଷ ୪ଟି ସେସନରେ ପରୀକ୍ଷା ହେବାର ଥିଲା । ପୂର୍ବରୁ ଶିକ୍ଷାର୍ଥୀମାନେ ଫେବୃଆରୀ ଓ ମାର୍ଚ୍ଚ ସେସନ ପରୀକ୍ଷା ଦେଇ ସାରିଛନ୍ତି । ପ୍ରଥମ ସେସନ ପରୀକ୍ଷା ଫେବୃଆରୀ ୨୩ରୁ ୨୬ ଓ ଦ୍ୱିତୀୟ ସେସନ ମାର୍ଚ୍ଚ ୧୬ରୁ ୧୮ ଯାଏ ହୋଇଥିଲା । ଏହାର ରେଜଲ୍ଟ ମଧ୍ୟ ପ୍ରକାଶ ପାଇ ସାରିଛି । ଫେବୃଆରୀ ମାସରେ ହୋଇଥିବା ପରୀକ୍ଷାରେ ୬୨୦୯୭୮ ଜଣ ପରୀକ୍ଷା ଦେଇଥିବା ବେଳେ ମାର୍ଚ୍ଚ ସେସନ ପରୀକ୍ଷାରେ ୫୫୬୨୪୮ ଜଣ ସାମିଲ ହୋଇଥିଲେ ।
ଏପ୍ରିଲ ସେସନର ପରୀକ୍ଷା ବାତିଲ ହୋଇଥିଲେ ହେଁ ଏନଟିଏ ପିଲାମାନଙ୍କୁ ପାଠପଢା ଜାରି ରଖିବାକୁ ପରାମର୍ଶ ଦେଇଛି । ସେହିପରି ଶିକ୍ଷାର୍ଥୀମାନେ ଚାହିଁଲେ ଏନଟିଏ ଅଭ୍ୟାସ ଆପ୍‌ରେ ମଧ୍ୟ ପରୀକ୍ଷା ଦେଇପାରିବେ । ସଂକ୍ରମଣ ବଢୁଥିବାରୁ ଶିକ୍ଷାର୍ଥୀଙ୍କ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ବର୍ତ୍ତମାନ ସମୟରେ ପରୀକ୍ଷାକୁ ସ୍ଥଗିତ ରଖାଯାଇଥିବା ଏନଟିଏ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି ।

Comments (0)
Add Comment