ଲତାଙ୍କ ସମ୍ମାନାର୍ଥେ ଜାରି ହେବ ଡାକ ଟିକେଟ

ନୂଆଦିଲ୍ଲୀ, ୭/୨ : ସଙ୍ଗୀତର ସରସ୍ୱତୀ ଭାରତ ରତ୍ନ ଲତା ମଙ୍ଗେସକରଙ୍କୁ ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ଜଣାଇବା ତଥା ତାଙ୍କୁ ଚିର ଦିନ ମନେ ରଖିବା ଲାଗି ବିଭିନ୍ନ ସ୍ତରରେ ଭିନ୍ନ ଭିନ୍ନ ଓ ଅଭିନବ ନିଷ୍ପତ୍ତି ଓ ଯୋଜନା ପ୍ରସ୍ତୁତ କରାଯାଉଛି । ଲତାଙ୍କ ନାଁରେ ପ୍ରତିବର୍ଷ ପୁରସ୍କାର ଦେବା ନେଇ ମଧ୍ୟ ପ୍ରଦେଶ ସରକାର ଘୋଷଣା କରିଥିବା ବେଳେ ମହାରାଷ୍ଟ୍ରରେ ତାଙ୍କର ଏକ ବିରାଟ ପ୍ରତିମୁର୍ତ୍ତି ତଥା ସ୍ମାରକୀ ନିର୍ମାଣ ପାଇଁ ସରକାରୀ ସ୍ତରରେ ବିଚାର ଚାଲିଛି । ଏବେ କେନ୍ଦ୍ର ସରକାର ତାଙ୍କ ନାଁରେ ଏକ ଡାକ ଟିକେଟ ଜାରି କରିବା ଲାଗି ନିଷ୍ପତ୍ତି ନେଇଛନ୍ତି । ଆଜି ଏକ ଜାତୀୟ ଗଣମାଧ୍ୟମର କାର୍ଯ୍ୟକ୍ରମରେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହି ସୂଚନା ଦେଇଛନ୍ତି । ଉଲ୍ଲେଖଯୋଗ୍ୟ, କରୋନା ସଂକ୍ରମିତ ହେବା ପରେ ଗତ ଜାନୁଆରି ୮ ତାରିଖରେ ଲତାଙ୍କୁ ବ୍ରିଚ କ୍ୟାଣ୍ଡି ଡାକ୍ତରଖାନାର ଆଇସିୟୁରେ ଭର୍ତ୍ତି କରାଯାଇଥିଲା । ସେଠାରେ ସେ ଭେଣ୍ଟିଲେଟରରେ ରହିବା ସହିତ ଉଭୟ କରୋନା ଓ ନିମୋନିଆ ପାଇଁ ଚିକିତ୍ସିତ ହେଉଥିଲେ । କିଛି ସପ୍ତାହ ପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ଆସିଥିଲା । ସେ ଧୀରେ ଧୀରେ ସୁସ୍ଥ ହୋଇ ଆସୁଥିଲେ । କିନ୍ତୁ ଶନିବାର ହଠାତ୍‌ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ପୁଣି ବିଗିଡି ଯାଇଥିଲା । ଡାକ୍ତରମାନେ ତାଙ୍କୁ ଆଇସିୟୁକୁ ନେବା ସହିତ ଭେଣ୍ଟିଲେଟରରେ ରଖି ଚିକିତ୍ସା କରିଥିଲେ । ଡାକ୍ତରମାନଙ୍କ ଶତ ଚେଷ୍ଟା ସତ୍ତ୍‌ବେ ଗତକାଲି ଲତା ଆଜି ଆଖି ବୁଜିଥିଲେ ।

Comments (0)
Add Comment