ପଞ୍ଚଭୂତରେ ଲୀନ ହେଲା ଲତାଙ୍କ ପାର୍ଥିବ ଶରୀର : ଭାଇ ଦେଲେ ମୁଖାଗ୍ନି

ମୁମ୍ୱାଇ ,୬/୨: ପଞ୍ଚଭୂତରେ ଲୀନ ହୋଇଛି ଭାରତୀୟ ସଙ୍ଗୀତ ଜଗତର ପ୍ରଖ୍ୟାତ ଗାୟିକା ଭାରତ ରତ୍ନ ଲତା ମଙ୍ଗେସକରଙ୍କ ପାର୍ଥିବ ଶରୀର । ଆଜି ସଂପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହକାରେ ମୁମ୍ୱାଇର ଶିବାଜୀ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି । ଏହି ସମୟରେ ଗାର୍ଡ ଅଫ୍‌ ଅନର ପ୍ରଦାନ କରାଯାଇଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୁମ୍ବାଇରେ ସଂଧ୍ୟାରେ ବିମାନବନ୍ଦରରେ ପହଞ୍ଚି ସିଧା ଶିବାଜୀ ପାର୍କ ଯାଇଥିଲେ । ସେଠାରେ ପହଞ୍ଚି ସେ ଲତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ଦିଲ୍ଲୀ ଫେରିଯାଇଥିଲେ । ଏହାପରେ ଅନ୍ତ୍ୟେଷ୍ଟିକ୍ରିୟା ଆରମ୍ଭ ହୋଇଥିଲା । ସଂଧ୍ୟା ୭ଟା ୧୬ ମିନିଟରେ ଭାଇ ହ୍ରିଦୟନାଥ ମଙ୍ଗେସକର ମୁଖାଗ୍ନି ଦେଇଥିଲେ । ଏହି ସମୟରେ ଲତାଙ୍କ ଶରୀରରେ ଘୋଡାଯାଇଥିବା ତ୍ରିରଙ୍ଗାକୁ ମର୍ଯ୍ୟାଦାର ସହ ହ୍ରିଦୟନାଥଙ୍କ ହାତକୁ ଦେଇଥିଲେ ପ୍ରତିରକ୍ଷା ଅଧିକାରୀ । କ୍ରିକେଟର ସଚିନ ତେନ୍ଦୁଲକର, ଅଭିନେତା ଶାହାରୁଖ ଖାନ ମଧ୍ୟ ଶିବାଜୀ ପାର୍କ ପହଞ୍ଚି ଲତାଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ, ରାଜ୍ୟ ସରକାରରେ ମନ୍ତ୍ରୀ ଆଦିତ୍ୟ ଠାକରେ ଶିବାଜୀ ପାର୍କରେ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ଏହାସହ ବଲିଉଡ, ରାଜନୀତି ଜଗତର ବହୁ ବିଶିଷ୍ଟ ବ୍ୟକ୍ତି ଲତାଙ୍କ ଶେଷ ଦର୍ଶନ କରିଥିଲେ ।

Comments (0)
Add Comment