ମିଜୋରାମରେ ୨୪ ହଜାରରୁ ଅଧିକ ଶରଣାର୍ଥୀ

ନୂଆଦିଲ୍ଲୀ, ୧/୩: ମିଜୋରାମରେ ଶରଣାର୍ଥୀ ସମସ୍ୟା ଅଧିକ ଗୁରୁତର ହେଉଛି । ରାଜ୍ୟରେ ସେମାନଙ୍କ ସଂଖ୍ୟା ହୁ ହୁ ହୋଇ ବଢୁଥିବାରୁ ତାହା ଏକ ଚିନ୍ତାର କାରଣ ହୋଇଛି । ମଙ୍ଗଳବାର ମିଜୋରାମ ମୁଖ୍ୟମନ୍ତ୍ରୀ ଜୋରମଥାଙ୍ଗା କହିଛନ୍ତି, ରାଜ୍ୟରେ ୨୪ ହଜାରରୁ ଅଧିକ ମିଆଁମାର ନାଗରିକ ଶରଣ ନେଇଛନ୍ତି । ସେନା ଦ୍ୱାରା କ୍ଷମତା ଅଧିକାର କରାଯିବା ପରେ ପଡୋଶୀ ଦେଶର ନାଗରିକ ରାଜ୍ୟରେ ଶରଣ ନେଇଛନ୍ତି । ବିଧାନସଭାରେ ମୁଖ୍ୟମନ୍ତ୍ରୀ ଏକ ବୟାନରେ କହିଛନ୍ତି, ଚଳିତ ବର୍ଷ ଫେବ୍ରୁଆରୀ ୧୨ ସୁଦ୍ଧା ମିଜୋରାମରେ ଶରଣ ନେଇଥିବା ମିଆଁମାର ନାଗରିକଙ୍କ ସଂଖ୍ୟା ୨୪,୨୮୯ । ମିଆଁମାରରେ ଗତ କିଛି ଦିନ ଧରି ଆରମ୍ଭ ହୋଇଥିବା ସଂଘର୍ଷ ଯୋଗୁଁ ଏହି ଉତ୍ତର-ପୂର୍ବ ରାଜ୍ୟରେ ଶରଣାର୍ଥୀଙ୍କ ସଂଖ୍ୟା ବଢିବାରେ ଲାଗିଛି । ଏହି ଲୋକମାନଙ୍କୁ ରାଜ୍ୟ ସରକାର, ଏନଜିଓ, ଚର୍ଚ୍ଚ ଏବଂ ଛାତ୍ର ସଂଗଠନ ଗୁଡିକ ପକ୍ଷରୁ ଭୋଜନ ସହ ଅନ୍ୟ ମାନବୀୟ ସହାୟତା ପ୍ରଦାନ କରାଯାଉଛି । ଏହି ଶରଣାର୍ଥୀଙ୍କୁ ସାହାଯ୍ୟ କରିବା ପାଇଁ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି ।

Comments (0)
Add Comment