“ଅନ୍ଧ ବିରୋଧ ଗଣତନ୍ତ୍ରର ପରିପନ୍ଥୀ’

ନୂଆଦିଲ୍ଲୀ,୭/୨: ଓଡ଼ିଶା ସମେତ ବିଭିନ୍ନ ରାଜ୍ୟରେ କଂଗ୍ରେସର ସ୍ଥିତି ଶୋଚନୀୟ । ଯେତେ ଚେଷ୍ଟା କଲେ ବି ଏହା ସେହିସବୁ ରାଜ୍ୟରେ କ୍ଷମତାକୁ ଆସିପାରୁ ନାହିଁ । ନିଜ ଘରକୁ ସଜାଡ଼ିବା ପରିବର୍ତ୍ତେ ଏହା ଆମକୁ ବିରୋଧ କରିବା କାର୍ଯ୍ୟରେ ମାତିଛି । ନିର୍ବାଚନରେ ବାରମ୍ବାର ପରାଜୟ ସତ୍ତେ୍ୱ ଏହା ଅଂହକାର ଛାଡ଼ି ପାରୁନି । ଅନ୍ଧଭାବେ ବିରୋଧ କରିବା ଠିକ ନୁହେଁ,ଏହା ଗଣତନ୍ତ୍ରର ପରିପନ୍ଥୀ । ଏଭଳି ବିରୋଧ ଗଣତନ୍ତ୍ରକୁ କ୍ଷତି ପହଞ୍ଚାଇଥାଏ । ରାଷ୍ଟ୍ରପତିଙ୍କୁ ଧନ୍ୟବାଦ ପ୍ରସ୍ତାବ ଉପରେ ଆଜି ଲୋକସଭାରେ ନିଜର ବିବୃତି ରଖି ପ୍ରଧାନମନ୍ତ୍ରୀ ଏଭଳି ଢଙ୍ଗରେ କଂଗ୍ରେସକୁ ଟାର୍ଗେଟ କରିଛନ୍ତି । ଦେଶରେ କରୋନା ସଂକ୍ରମଣ ପାଇଁ ସେ କଂଗ୍ରେସକୁ ଦାୟୀ ମଧ୍ୟ କରିଛନ୍ତି । ସେ କହିଛନ୍ତି ଯେ କରୋନା ଲକ୍‌ଡାଉନ୍‌ ଚାଲିଥିଲା ବେଳେ କଂଗ୍ରେସ ସବୁ ସୀମା ଡେଇଁଗଲା । ଶ୍ରମିକମାନଙ୍କୁ ମାଗଣା ଟିକେଟ ଦେଇ ଘରକୁ ପଠାଇ ସଂକ୍ରମଣ ବଢ଼ାଇଥିଲା । କରୋନା ମୋଦି ଛବିକୁ ମଳିନ କରିଦେବ ବୋଲି କିଛି ଲୋକ ଭାବିଥିଲେ । କଂଗ୍ରେସର କେତେ ନେତା ଲୋକଙ୍କୁ କରୋନା ସଚେତନ କରିଥିଲେ ବୋଲି ସେ ପ୍ରଶ୍ନ କରିଥିଲେ ।
ସେ କହିଥିଲେ ଯେ ୧୯୯୫ ପରେ ଓଡ଼ିଶାରେ ଆଉ କଂଗ୍ରେସ କ୍ଷମତାକୁ ଆସିପାରି ନାହିଁ । ସେହିପରି ନାଗାଲାଣ୍ଡ ଓ ଗୋଆରେ ୨୮ ବର୍ଷ ହେଲା ଜିତିପାରିନି । ତାମିଲନାଡୁରେ ୧୯୬୨ ପରେ ଦଳ ଆଉ କ୍ଷମତାକୁ ଫେରିନି । ଗୁଜରାଟ ଓ ୟୁପିରେ ବି ଦଳ ଆଉ କ୍ଷମତାକୁ ଆସିପାରୁନି । କିନ୍ତୁ ଏତେ ପରାଜୟ ପରେ ବି କଂଗ୍ରେସ ତାର ଅହଙ୍କାର ଛାଡ଼ିପାରିନି । ମହାତ୍ମା ଗାନ୍ଧିଙ୍କ ସ୍ୱପ୍ନ ସାକାର ହେବା କଂଗ୍ରେସ ଚାହୁଁନି । କଂଗ୍ରେସର କାର୍ଯ୍ୟଧାରାକୁ ଦେଖିଲେ ଲାଗୁଛି,ଏହା ମନସ୍ଥିର କରିଛନ୍ତି ଆଗାମୀ ଶହେ ବର୍ଷ ପର୍ଯ୍ୟନ୍ତ କ୍ଷମତାକୁ ନଆସିବାକୁ । ଚାଷୀଙ୍କ ଦୁଃଖ ସେମାନେ ବୁଝିପାରିବେନି । ସେମାନଙ୍କୁ ଚାଷୀଙ୍କ ନାଁ ନେଇ ରାଜନୀତି କରିବାର ଅଧିକାର ନାହିଁ । ସେମାନଙ୍କ ପାଇଁ ଫାଇଲ ବଡ଼ । ଆମ ପାଇଁ ଲୋକଙ୍କ ଲାଇଫ୍‌ ବଡ଼ । ଦେଶକୁ ଶିଖରରେ ପହଞ୍ଚାଇବାକୁ ଆମେ ସଂକଳ୍ପବଦ୍ଧ । ଦେଶ ସଶକ୍ତ ହୋଇ ଆଗକୁ ବଢ଼ି ଚାଲିଛି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗରିବଙ୍କୁ ପକ୍କା ଘର ଦିଆଯାଉଛି । ଗରିବଙ୍କୁ ପକ୍କା ଘର,ଶୌଚାଳୟ ଓ ରନ୍ଧନ ଗ୍ୟାସ୍‌ ଯୋଗାଇ ଦିଆଯାଇଛି । ସେହିପରି,କରୋନା ମୁକାବିଲା କ୍ଷେତ୍ରରେ ଭାରତ ସାରା ବିଶ୍ୱ ପାଇଁ ରୋଲ ମଡେଲ ହୋଇପାରିଛି । ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ(ହୁ)ଭାରତର ଏହି ମୁକାବିଲା କାର୍ଯ୍ୟକୁ ପ୍ରଶଂସା କରିଛି । କରୋନା ସମୟରେ ବି ଭାରତ ନୂଆ ତଥା ସକରାତ୍ମକ ପରିବର୍ତ୍ତନ ଆଣିବାରେ ସକ୍ଷମ ହୋଇଛି । ଳକ୍‌ ଡାଉନକୁ ଏହା ଏକ ସୁଯୋଗଭାବେ ଗ୍ରହଣ କରି ସେତିରୁ ସଫଳତା ଲାଭ କରିଛି ବୋଲି ସେ କହିଥିଲେ ।

Comments (0)
Add Comment