ନୂଆଦିଲ୍ଲୀ : ଦେଶରେ କରୋନା ସାଙ୍ଗକୁ ଓମିକ୍ରନର ପ୍ରକୋପ ଜାରି ରହିଛି । ଏହି ଦୁଇଟି ଘାତକ ଭୂତାଣୁରୁ ରକ୍ଷା ପାଇବା ପାଇଁ ଟିକାକରଣ ଉପରେ ସର୍ବାଧିକ ଗୁରୁତ୍ୱ ଦିଆଯାଉଛି । ଓମିକ୍ରନ ବହୁ ଗୁଣରେ ସଂକ୍ରମଣକ୍ଷମ ହୋଇଥିବାରୁ ଏହାକୁ ରୋକିବା ପାଇଁ ପ୍ରୟାସ ଜାରି ରହିଛି । ଏହି ପ୍ରୟାସ ଆଗକୁ ସଫଳ ହେବାର ଆଭାସ ଏବେ ମିଳିଛି । ଓମିକ୍ରନକୁ ହରାଇବା ଲକ୍ଷ୍ୟରେ ଏକ ଟିକାକୁ ଏବେ ବିକଶିତ କରାଯାଇଛି । ଏହାର ନାମ ହେଉଛି ଏମଆରଏନଏ । ଲୋକଙ୍କ ଉପରେ ଆରମ୍ଭ ହେବ ଦେଶର ପ୍ରଥମ ଏମଆରଏନଏ ଭ୍ୟାକ୍ସିନର ପରୀକ୍ଷଣ । ଆସନ୍ତା ଫେବ୍ରୁଆରୀ ମାସରେ ଏହାର ପରୀକ୍ଷାଣ ଆରମ୍ଭ ହେବ । ପୁନେ ସ୍ଥିତ ଜେନୋଭା ବାୟୋଫାର୍ମାସ୍ୟୁଟିକଲ୍ସ ଏମଆରଏନଏ ଭ୍ୟାକ୍ସିନର ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷଣ ରିପୋର୍ଟ ଦାଖଲ କରିଥିବା ବେଳେ ତୃତୀୟ ପର୍ଯ୍ୟାୟ ପାଇଁ ପ୍ରସ୍ତୁତି ଆରମ୍ଭ କରିସାରିଛି । ଡ୍ରଗ୍ସ କଣ୍ଟ୍ରୋଲର ଜେନେରାଲ ଅଫ୍ ଇଣ୍ଡିଆର ସ୍ୱତନ୍ତ୍ର ବିଶେଷଜ୍ଞ କମିଟି ଶୀଘ୍ର ଏହି ଡାଟାକୁ ଅନୁଧ୍ୟାନ କରିବ । ଏହାସହ ଜେନୋଭା ବାୟୋଫାର୍ମାସ୍ୟୁଟିକାଲ୍ସ ଓମିକ୍ରନ ଭାରିଆଣ୍ଟ ପାଇଁ ମଧ୍ୟ ଏମଆରଏନଏ ଭ୍ୟାକ୍ସିନ ବିକଶିତ କରିଛି । ଖୁବଶୀଘ୍ର ମଣିଷଙ୍କ ଉପରେ ଏହାର ପରୀକ୍ଷଣ କରାଯିବ । ଏହା ପୂର୍ବରୁ ୨୦୨୧, ସେପ୍ଟେମ୍ୱର ମାସରେ ଜେନୋଭା ପକ୍ଷରୁ ଏକ ବିବୃତ୍ତି ଜାରି କରାଯାଇ ଟିକା ବାବଦରେ ସୂଚନା ଦିଆଯାଇଥିଲା ।