ପରଲୋକରେ ମୁଲାୟମ ସିଂ ଯାଦବ

ଗୁରୁଗ୍ରାମ : ପରଲୋକରେ ସମାଜବାଦୀ ପାର୍ଟି ପ୍ରତିଷ୍ଠାତା ତଥା ପୂର୍ବତନ ୟୁପି ମୁଖ୍ୟମନ୍ତ୍ରୀ ମୁଲାୟମ ସିଂହ ଯାଦବ । ୮୨ ବର୍ଷ ବୟସରେ ମେଦାନ୍ତ ହସ୍ପିଟାଲରେ ତାଙ୍କର ମୃତ୍ୟୁ ହୋଇଛି ।
ଗତ ୧୦ ଧରି ସେ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ଆଇସିୟୁ ଲାଇଫ ସପୋର୍ଟ ସିଷ୍ଟମରେ ରହି ଚିକିତ୍ସା ଚାଲିଥିଲା। ଦୀର୍ଘଦିନ ଧରି ସେ ମୃତ୍ୟୁ ସହ ସଂଗ୍ରାମ କରିବା ପରେ ସୋମବାର ସକାଳ ପ୍ରାୟ ସାଢେ ୮ଟା ସମୟରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ମୁଲାୟମ ସିଂ ଯାଦବଙ୍କ ମୃତ୍ୟୁ ପରେ ତାଙ୍କ ସମର୍ଥକ ତଥା ରାଜନୈତିକ ମହଲରେ ଶୋକର ଛାୟା ଖେଳିଯାଇଛି ।

ରାଜନୈତିକ ଯାତ୍ରା କଥା ଦେଖିବାକୁ ଗଲେ, ୫୫ ବର୍ଷର ରାଜନୀତିରେ ସେ ଅନେକ ମାଇଲଷ୍ଟୋନ ସ୍ଥାପନ କରିଛନ୍ତି । ମୁଲାୟମ ସିଂ ୧୯୬୭ରେ ୨୮ ବର୍ଷ ବୟସରେ ଜସୱନ୍ତନଗରରୁ ପ୍ରଥମଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ସେ ସମୟରେ ତାଙ୍କ ପରିବାରର କୌଣସି ରାଜନୈତିକ ବ୍ୟାକଗ୍ରାଉଣ୍ଡ ନଥିଲା । ତୃଣମୂଳ ସ୍ତରରୁ ସେ ରାଜନୀତି ଆରମ୍ଭ କରିଥିଲେ । ୫ ଡିସେମ୍ବର ୧୯୮୯ରେ ମୁଲାୟମ ପ୍ରଥମ ଥର ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ହୋଇଥିଲେ ।

ପରେ ଆଉ ଦୁଇଥର ମଧ୍ୟ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିଲେ । କେନ୍ଦ୍ରରେ ଦେବଗୌଡା ଏବଂ ଗୁଜରାଲ ସରକାରରେ ରକ୍ଷାମନ୍ତ୍ରୀ ଦାୟିତ୍ୱ ମଧ୍ୟ ସମ୍ଭାଳିଥିଲେ । ନେତାଜୀ ନାଁରେ ପରିଚିତ ମୁଲାୟମ ୭ ଥର ଲୋକସଭା ସାଂସଦ ଏବଂ ୯ଥର ବିଧାୟକ ନିର୍ବାଚିତ ହୋଇଥିଲେ । ୪ ଅକ୍ଟୋବର ୧୯୯୨ ମସିହାରେ ସମାଜବାଦୀ ପାର୍ଟିର ସ୍ଥାପନା କରିଥିଲେ ।

ମୁଲାୟମ୍‌ଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେ ତାଙ୍କ ଅଫିସିଆଲ୍‌ ଆକାଉଣ୍ଟ୍‌ରେ ଏକ ଟ୍ବିଟ୍‌ କରି ଲେଖିଛନ୍ତି, ‘ସମାଜବାଦୀ ପାର୍ଟିର ପ୍ରତିଷ୍ଠାତା ତଥା ୟୁପିର ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଲାୟମ୍‌ ସିଂହ ଯାଦବଙ୍କ ବିୟେ‌ାଗରେ ମୁଁ ଦୁଃଖିତ। ଦଳିତମାନଙ୍କ ବିକାଶ ଦିଗରେ ତାଙ୍କର ଅବଦାନ ପାଇଁ ଏହି ସମାଜବାଦୀ ନେତାଙ୍କୁ ସର୍ବଦା ସ୍ମରଣ କରାଯିବ। ଶୋକସନ୍ତପ ପରିବାର ଓ ସମର୍ଥକଙ୍କ ପାଇଁ ମୋର ଭାବନା ଓ ପ୍ରାର୍ଥନା ଜଣାଉଛି। ଓମ୍‌ ଶାନ୍ତି।’
ଆଜି ସକାଳ ସକାଳ ପ୍ରାୟ ୮.୧୫ରେ ତାଙ୍କର ପରଲୋକ ହୋଇଯାଥିବା କଥା ବିଶେଷସୂତ୍ରରୁ ଜଣାପଡ଼ିବା ପରେ ବିଭିନ୍ନ ମହଲରୁ ଶୋକ ପ୍ରକାଶ ପାଇଛି। ପ୍ରବୀଣ ରାଜନେତା ମୁଲାୟମ୍‌ ପୂର୍ବରୁ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଏବଂ ଭାରତର ପ୍ରତିରକ୍ଷାମନ୍ତ୍ରୀ ଥିଲେ। ପତ୍ନୀ ଡିମ୍ପଲ୍‌ଙ୍କ ସହିତ ମୁଲାୟମ୍‌ଙ୍କ ପୁଅ ତଥା ସମାଜବାଦୀ ପାର୍ଟିର ଅଧ୍ୟକ୍ଷ ଅଖିଳେଶ ଯାଦବ ଗୁରୁଗ୍ରାମରେ ପହଞ୍ଚିଛନ୍ତି।

Comments (0)
Add Comment