ଗୁଜୁରାଟ ଉପରେ ପ୍ରକୃତିର ଆକ୍ରୋଶ

ବନ୍ୟା-ବର୍ଷାରେ ବୁଡ଼ାଇଲା, ଏବେ ବାତ୍ୟାର ବିପଦ

ଅହମଦାବାଦ : ଗୁଜରାଟରେ ପ୍ରବଳ ବର୍ଷା ଓ ବନ୍ୟା ପରିସ୍ଥିତି ପରେ ଏବେ ବାତ୍ୟାର ବିପଦ ଘନାଇଛି। ବଡ଼ ବିପଦ ମାଡ଼ି ଆସୁଥିବାର ସୂଚନା ମିଳିଛି। ବର୍ଷା ଯୋଗୁଁ ୩୨ ଜଣଙ୍କର ମୃତ୍ୟୁ ହୋଇଛି। ପ୍ରାୟ ୨୦ ହଜାର ଲୋକଙ୍କୁ ଉଦ୍ଧାର କରି ସୁରକ୍ଷିତ ସ୍ଥାନରେ ରଖାଯାଇଛି। ରିଲିଫ କେନ୍ଦ୍ରରେ ଲୋକଙ୍କୁ ଶୁଖିଲା ଓ ରନ୍ଧା ଖାଦ୍ୟ ଦିଆଯାଉଛି। ଅହମ୍ମଦାବାଦରୁ ଭଦୋଦରା, କଚ୍ଛରୁ ଦ୍ୱାରକା ପର୍ଯ୍ୟନ୍ତ ରାସ୍ତା ଜଳମଗ୍ନ ହୋଇଛି। ସବୁଠାରୁ ଅଧିକ ପ୍ରଭାବିତ ଅଞ୍ଚଳ ହେଉଛି ଭଦୋଦରା । ଯେଉଁଠାରେ ଅନେକ ଆବାସିକ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଭଦୋଦରା, କଚ୍ଛ ଏବଂ ଖେଡା ଅଞ୍ଚଳରେ ପ୍ରବଳ ବର୍ଷା ଯୋଗୁଁ ଏଭଳି ସ୍ଥିତି ସୃଷ୍ଟି ହୋଇଛି ଯେ ଲୋକଙ୍କ ନିଃଶ୍ୱାସ ଅଟକି ରହିଛି। ସମଗ୍ର ସହର ପାଣିରେ ବୁଡ଼ି ଯାଇଛି। ପୂରା ବଜାର ବୁଡ଼ି ଯାଇଛି। ରାସ୍ତାଘାଟରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଗୁଜରାଟରେ ପ୍ରକୃତିର ଆଉ ଏକ ଆକ୍ରମଣ ହେବାକୁ ଯାଉଛି। କଚ୍ଛ ଉପରେ ବାତ୍ୟାର ବିପଦ ଦେଖାଦେଇଛି। ସାମୁଦ୍ରିକ ଝଡ଼ରୁ ଲୋକଙ୍କୁ ରକ୍ଷା କରିବା ପାଇଁ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ନିର୍ଦ୍ଦେଶ ଦେଇଛନ୍ତି।
କଚ୍ଛ ଜିଲ୍ଲା ଉପରେ ବାତ୍ୟାର ବିପଦ ଦେଖାଦେଇଛି। ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ବାତ୍ୟା କଚ୍ଛରେ ପହଞ୍ଚିବାକୁ ଯାଉଛି। ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଦୁର୍ବଳ ହେବା ପରିବର୍ତ୍ତେ ଶକ୍ତିଶାଳୀ ହେବାର ସମ୍ଭାବନା ରହିଛି। ତେଣୁ ଅହମ୍ମଦାବାଦ ସମେତ ସାରା ରାଜ୍ୟରେ ପ୍ରବଳ ପବନ ବହିବ। ପ୍ରବଳ ବର୍ଷା ଓ ବନ୍ୟା ପ୍ରଭାବିତ କଚ୍ଛରେ ଶୁକ୍ରବାର ବର୍ଷାର ଖବର ରହିଛି। ମାଣ୍ଡଭିରେ ୧୧ ଇଞ୍ଚରୁ ଅଧିକ ବର୍ଷା ହୋଇଥିବାରୁ ଚାରିଆଡେ ପାଣି ଜମି ରହିଥିଲା। ମୁନ୍ଦ୍ରାରେ ମଧ୍ୟ ପାଖାପାଖି ୬ ଇଞ୍ଚ ବର୍ଷା ହୋଇଛି।

ଆସନ୍ତା କିଛି ଘଣ୍ଟା ମଧ୍ୟରେ ଏହି ସାମୁଦ୍ରିକ ଝଡ଼ କଚ୍ଛରେ ସ୍ଥଳଭାଗ ଛୁଇଁବାର ସମ୍ଭାବନା ରହିଛି। ମୁଖ୍ୟମନ୍ତ୍ରୀ ଗୁରୁବାର ରାତିରେ ଭଦୋଦରାରୁ ଗାନ୍ଧୀନଗର ରାଜ୍ୟ ଜରୁରୀକାଳୀନ ଅପରେସନ୍ ସେଣ୍ଟରରେ ପହଞ୍ଚିଛନ୍ତି। କଚ୍ଛ ଜିଲ୍ଲାପାଳଙ୍କ ଠାରୁ ସେଠାକୁ ଆସୁଥିବା ବାତ୍ୟା ପାଇଁ ହୋଇଥିବା ପ୍ରସ୍ତୁତିର ସମୀକ୍ଷା କରିଥିଲେ। ଏହି ବିପର୍ଯ୍ୟୟରୁ ଲୋକଙ୍କୁ ବଞ୍ଚାଇବା ପାଇଁ ଆବଶ୍ୟକ ସ୍ଥଳେ ତୁରନ୍ତ ଲୋକଙ୍କୁ ସ୍ଥାନାନ୍ତର କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଭିଡିଓ କନଫରେନ୍ସିଂ ଜରିଆରେ ଅନୁଷ୍ଠିତ ବୈଠକରେ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ଯେ ଲୋକଙ୍କୁ ସ୍ଥାନାନ୍ତର କରିବା ପାଇଁ ସବୁ ପ୍ରକାର ଉଦ୍ୟମ କରାଯାଉ।

ପାଣିପାଗ ବିଭାଗ କହିଛି ଯେ ଗୁଜରାଟରେ ବର୍ଷା ଜାରି ରହିବ। ଆସନ୍ତା ୨-୩ ଦିନ ପର୍ଯ୍ୟନ୍ତ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଭିତରକୁ ନଯିବାକୁ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି। ରାଜ୍ୟରେ ୧୪୦ଟି ଜଳଭଣ୍ଡାର, ଡ୍ୟାମ୍ ଓ ୨୪ଟି ନଦୀ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। ପ୍ରବଳ ବର୍ଷା ଯୋଗୁଁ ଟ୍ରେନ୍ ଚଳାଚଳ ମଧ୍ୟ ବାଧାପ୍ରାପ୍ତ ହୋଇଛି। ୨୦୬ଟି ଡ୍ୟାମ ମଧ୍ୟରୁ ୧୨୨ଟି ଡ୍ୟାମର ଜଳସ୍ତର ଦ୍ରୁତଗତିରେ ବୃଦ୍ଧି ପାଉଥିବାରୁ ସେମାନଙ୍କୁ ହାଇ ଆଲର୍ଟରେ ରଖାଯାଇଛି।

ଗୁଜରାଟର ଅଧିକାଂଶ ସ୍ଥାନରେ ଶୁକ୍ରବାର ପ୍ରବଳ ବର୍ଷା ହେବାକୁ ଯାଉଛି। ପ୍ରବଳ ବର୍ଷା ଯୋଗୁଁ କେତେକ ଜିଲ୍ଲା ପାଇଁ ସତର୍କ ସୂଚନା ଜାରି କରାଯାଇଛି। ଆଇଏମଡି କହିଛି ଯେ ସୌରାଷ୍ଟ୍ର, କଚ୍ଛ, ଜାମନଗର, ପୋରବନ୍ଦର ଏବଂ ଦ୍ୱାରକା ପାଇଁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି। ରାଜକୋଟ, ଜୁନାଗଡ଼, ମୋର୍ବି ଆଦି ଜିଲ୍ଲାପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଏହି ଜିଲ୍ଲାଗୁଡ଼ିକରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ବନାସକଣ୍ଠା, ପାଟନ, ମେହସାନା, ସାବରକଣ୍ଠ, ଗାନ୍ଧୀନଗର, ଆରାବଳି, ଖେଡା, ଅହମ୍ମଦାବାଦ, ଆନନ୍ଦ, ପଞ୍ଚମହଲ, ଦାହୋଦ, ମହିସାଗର, ଭଦୋଦରା, ଛୋଟା ଉଦେପୁର, ନର୍ମଦା, ଭରୁଚ, ସୁରଟ, ଡାଙ୍ଗ, ତାପି, ନବସାରୀ, ବଲସାଡ ଓ ଦାଦରା ନଗର ହାଭେଲିରେ ପ୍ରବଳ ବର୍ଷା ହେବାର ସୂଚନା ମିଳିଛି I

Comments (0)
Add Comment