ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ନିର୍ବାଚିତ, ଅଭିନନ୍ଦନ ଜଣାଇଲେ ଯଶୱନ୍ତ ସିହ୍ନା

ନୂଆଦିଲ୍ଲୀ: ଦେଶ ପାଇଁ ଆଜି ଏକ ଐତିହାସିକ ଦିନ । ବିଶେଷକରି ଓଡ଼ିଶା ପାଇଁ । ଦେଶର ୧୫ତମ ରାଷ୍ଟ୍ରପତିଭାବେ ଆଜି ନିର୍ବାଚିତ ହୋଇଛନ୍ତି ଓଡ଼ିଶା ମାଟିର ସୁକନ୍ୟା ଦ୍ରୌପଦୀ ମୁର୍ମୁ । ଦ୍ରୌପଦୀ ରାଷ୍ଟ୍ରପତି ନିର୍ବାଚିତ ହେବା ଏକାଧିକ କୀର୍ତ୍ତିମାନ ଅଧିକାରିଣୀ ହୋଇଛନ୍ତି । ସେ ପ୍ରଥମ ଓଡିଆ ଭାବେ ରାଷ୍ଟ୍ରପତି ହୋଇଛନ୍ତି । ସେହିପରି ଦେଶର ଦ୍ୱିତୀୟ ମହିଳା ରାଷ୍ଟ୍ରପତି ହେବାର କୀର୍ତ୍ତିମାନ ସୃଷ୍ଟି କରିଛନ୍ତି । କେବେଳ ସେତିକି ନୁହେଁ,ସେ ଦେଶର ପ୍ରଥମ ଆଦିବାସୀ ମହିଳା ରାଷ୍ଟ୍ରପତି ହେବାର ଗୌରବ ମଧ୍ୟ ଲାଭ କରିଛନ୍ତି । ମୁର୍ମୁଙ୍କ ପୂର୍ବରୁ ପ୍ରତିଭା ପାଟିଲ ଦେଶର ପ୍ରଥମ ମହିଳା ରାଷ୍ଟ୍ରପତି ହୋଇଥିଲେ । ଆଜି ମୁର୍ମୁ ରାଷ୍ଟ୍ରପତି ନିର୍ବାଚିତ ହେବା ପୂର୍ବରୁ ଏବଂ ପରେ ସାରା ଓଡ଼ିଶା ଉତ୍ସବମୁଖର ହୋଇ ଉଠିଥିଲା । ତାଙ୍କ ଜନ୍ମମାଟି ତଥା ଜିଲ୍ଲା ମୟୂରଭଞ୍ଜରେ ଅଭୂତପୂର୍ବ ଉତ୍ସାହ,ଆନନ୍ଦ-ଉଲ୍ଲାସ ଓ ଉଦ୍ଦୀପନା ଦେଖିବାକୁ ମିଳିଛି । ଚାରିଆଡ଼ୁ ଶ୍ରୀମତି ମୁର୍ମୁଙ୍କ ଶୁଭେଚ୍ଛା ଓ ଅଭିନନ୍ଦନର ସୁଅ ଛଟିଛି ।
ଆଜି ଚାଲିଥିବା ଗଣତିର ପ୍ରଥମ ଦୁଇ ରାଉଣ୍ଡ ପରି ତୃତୀୟ ରାଉଣ୍ଡରେ ମଧ୍ୟ ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ବିପୁଳ ଭୋଟ ପାଇଥିଲେ । ତୃତୀୟ ରାଉଣ୍ଡ ଶେଷ ସୁଦ୍ଧା ଶ୍ରୀମତୀ ମୁର୍ମୁ ୫୦ ପ୍ରତିଶତରୁ ଅଧିକ ଭୋଟ ପାଇ ସାରିଛନ୍ତି । ତେଣୁ ସେ ଦେଶର ପରବର୍ତ୍ତୀ ରାଷ୍ଟ୍ରପତି ହେବା ସୁନିଶ୍ଚିତ । କେବଳ ଔପଚାରିକ ଦୃଷ୍ଟିରୁ ଘୋଷଣା ବାକି ରହିଛନ୍ତି । ଆଉ ଗୋଟିଏ ରାଉଣ୍ଡ ଭୋଟ ଗଣତି ବାକି ଅଛି । ତେବେ ଏହି ରାଉଣ୍ଡରେ ସେତେ ଭୋଟ ନାହିଁ, ଯାହା ବିରୋଧୀ ପ୍ରାର୍ଥୀ ଯଶୱନ୍ତ ସିହ୍ନା ତାଙ୍କୁ ମାତ୍‌ ଦେଇପାରିବେ । ଗଣତି ହୋଇଥିବା ମୋଟ୍‌ ୧୮୮୬ ଭୋଟରୁ ଦ୍ରୌପଦୀ ୧୩୪୯ ଭୋଟ ପାଇଥିବା ବେଳେ ସିହ୍ନା ୫୩୭ ଭୋଟ ପାଇଛନ୍ତି । ଆଉ କିଛି ସମୟ ପରେ ଚତୁର୍ଥ ରାଉଣ୍ଡ ଫଳ ପ୍ରକାଶ ପାଇବ । ଚତୁର୍ଥ ରାଉଣ୍ଡ ଫଳ ପ୍ରକାଶ ପାଇବା ପରେ ଦ୍ରୌପଦୀ ମୁ୍‌ର୍ମୁଙ୍କ ବିଜୟକୁ ଆନୁଷ୍ଠାନିକ ଭାବେ ଘୋଷଣା କରିବେ ନିର୍ବାଚନ ଅଧିକାରୀ । ଏହା ପୂର୍ବରୁ ବିରୋଧୀ ଦଳ ପ୍ରାର୍ଥୀ ଯଶୱନ୍ତ ସିହ୍ନା ଶ୍ରୀମତୀ ମୁର୍ମୁଙ୍କୁ ବଧାଇ ଜଣାଇଛନ୍ତି ।

Comments (0)
Add Comment