ଅକ୍ସିଜେନ ସହାୟତା ପାଇଁ ସାଉଦିଆରବର ଉର୍ଜାମନ୍ତ୍ରୀଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଧନ୍ୟବାଦ

ନୂଆଦିଲ୍ଲୀ,୨୯/୫ : ଭାରତକୁ ସାଉଦିଆରବରୁ ୬୦ ଟନ୍‌ ଲିକୁଇଡ ମେଡିକାଲ ଅକ୍ସିଜେନ ସହ ୩ଟି ଆଇଏସଓ କଂଟେନର ପଠାଇଥିବାବେଳେ ଆଗାମୀ ଦିନରେ ଅଧିକ ୧୦୦ଟି ଆଇଏସଓ କଂଟେନର ପଠାଇବାର ବ୍ୟବସ୍ଥା କରିଥିବାରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସାଉଦିଆରବର ଉର୍ଜାମନ୍ତ୍ରୀ ପ୍ରିନ୍ସ ଅବଦୁଲାଜିଜଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଶ୍ରୀ ପ୍ରଧାନ ଟ୍ୱିଟ କରିଛନ୍ତି ଯେ କରୋନା ବିରୋଧୀ ମୁକାବିଲାରେ ଭାରତକୁ ସହଯୋଗ କରିବାପାଇଁ ସାଉଦିଆରବରୁ ୬୦ ଟନ୍‌ ଲିକୁଇଡ ମେଡିକାଲ ଅକ୍ସିଜେନ ଓ ୩ଟି ଆଇଏସଓ କଂଟେନର ଆସୁଅଛି । ଏହି କଂଟେନର ଜୁନ ୬ରେ ମୁମ୍ବାଇରେ ପହଞ୍ଚିବ । ଏହାସହ ଆଗାମୀ ଦିନରେ ଅତିରିକ୍ତ ୧୦୦ଟି ଆଇଏସଓ କଂଟେନର ସାଉଦିଆରବରୁ ଆସିବା ନେଇ ସେ ସୂଚନା ଦେଇଛନ୍ତି । ସାଉଦିଆରବର ଏହି ପଦକ୍ଷେପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ସାଉଦିଆରବର ନେତୃତ୍ୱ ମଧ୍ୟରେ ଥିବା ଘନିଷ୍ଠ ସଂପର୍କର ପ୍ରତିଫଳନ । ଏହି ୩ କଂଟେନର ଏବଂ ଆଗାମୀ ଦିନରେ ଆସିବାକୁ ଥିବା କଂଟେନର ଗୁଡିକ ୬ମାସ ପର୍ଯ୍ୟନ୍ତ ଇଣ୍ଡିଆନ ଅଏଲ ପାଖରେ ରହିବ । ସାଉଦି ଆରବର କଂପାନୀ ଲିନ୍ଦେ ଦାମନମ୍‌ ଠାରୁ ଇଣ୍ଡିଆନ ଅଏଲ ଲିକୁଇଡ ମେଡିକାଲ ଅକ୍ସିଜେନ ଦେଶପାଇଁ ଆମଦାନୀ କରିବ । ସୂଚନାଯୋଗ୍ୟ ଯେ ଚଳିତ ମାସରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଭାରତକୁ କୋଭିଡ ବିରୋଧୀ ଲଢେଇରେ ନିରନ୍ତର ସହ ଯୋଗ କରିବା ଉପରେ ପ୍ରିନ୍ସ ଅବଜୁଲାଜିଜଙ୍କ ସହ ଆଲୋଚନା କରିଥିଲେ ।

Comments (0)
Add Comment