୧୨୫୦ କୋଟିରେ ପହଞ୍ଚିଲା ନୂଆ ସଂସଦ ଭବନର ନିର୍ମାଣ ଖର୍ଚ୍ଚ

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ଫ୍ଲାଗସିପ୍‌ ସେଣ୍ଟ୍ରାଲ୍‌ ଭିସ୍ତା ପ୍ରକଳ୍ପର ମୁଖ୍ୟ ଆକର୍ଷଣ ହୋଇଥିବା ନୂତନ ସଂସଦ ଭବନ ନର୍ମାଣରେ ଆଉ ୨୮୨ କୋଟି ଟଙ୍କା ଖର୍ଚ୍ଚ ହେବ । ଡିସେମ୍ବର ୨୦୨୦ରେ ରେ ହୋଇଥିବା ଭୂମିପୂଜନ ସମାରୋହର ଏକ ବର୍ଷରୁ ଅଧିକ ସମୟ ପରେ ୯୭୭ କୋଟି ଡଲାରର ବଜେଟରେ ୨୯ ପ୍ରତିଶତ ବୃଦ୍ଧି ଘଟିଛି । ଚାଳିଶ ପ୍ରତିଶତ କାମ ଏହି ପ୍ରକଳ୍ପ କାର୍ଯ୍ୟକାରୀ କରୁଥିବା ଟାଟା ପ୍ରୋଜେକ୍ଟ ଦ୍ୱାରା ସମ୍ପନ୍ନ ହୋଇଛି । ନିର୍ମାଣ କାର୍ଯ୍ୟସୂଚୀ କିନ୍ତୁ ସମାନ ରହିଛି । ୧୩ ଏକର ଉପରେ ବ୍ୟାପିଥିବା ପ୍ରସ୍ତାବିତ ଚାରି ମହଲା ବିଶିଷ୍ଟ କୋଠା ନିର୍ମାଣ କାର୍ଯ୍ୟ ଦେଶର ୭୫ତମ ସ୍ୱାଧୀନତା ଦିବସ ପୂର୍ବରୁ ଶେଷ ହେବ ବୋଲି ଆଶା କରାଯାଉଥିଲା । ପରେ ଅକ୍ଟୋବରରେ ସମୟସୀମା ଧାର୍ଯ୍ୟ କରାଯାଇଥିଲା । ସାଂସଦମାନଙ୍କ ପାଇଁ ଆଧୁନିକ ସୂଚନା-ବୈଷୟିକ ସୁବିଧା ଏବଂ କାର୍ଯ୍ୟାଳୟଗୁଡ଼ିକର ଅଭାବ ଥିବାରୁ ଏକ ନୂତନ ସଂସଦ ଭବନ ଆବଶ୍ୟକ ହେଲା । ଅନେକ ସାଂସଦ କହିଥିଲେ ଯେ ୧୯୨୭ ମସିହାରେ ଖୋଲାଯାଇଥିବା ଏହି କୋଠାଟି ବର୍ତ୍ତମାନ ସଂକୀର୍ଣ୍ଣ ହୋଇଯାଇଛି । ଲୋକସଭା ଏବଂ ରାଜ୍ୟସଭା ହଲରେ ବସିବାର ବ୍ୟବସ୍ଥା ଦୃଷ୍ଟିରୁ ଏହା ଏହାର ସାମର୍ଥ୍ୟରେ ପହଞ୍ଚିଛି । ସାଂସଦମାନେ ଏହା ମଧ୍ୟ ସୂଚାଇ ଦେଇଛନ୍ତି ଯେ କୋଠାଟି ଭୂକମ୍ପ ନିରୋଧ ନୁହେଁ କିମ୍ବା ଅଗ୍ନି ନିରାପତ୍ତା ବ୍ୟବସ୍ଥା ନାହିଁ । ମିଳିତ ଅଧିବେଶନରେ ସଦସ୍ୟ ସଂଖ୍ୟା ୧,୨୨୪କୁ ବୃଦ୍ଧି କରିବାର ବିକଳ୍ପ ସହିତ ଏହି ନୂତନ ବିଲ୍ଡିଂରେ ଲୋକସଭା ଚାମ୍ବରରେ ୮୮୮ ଜଣ ସଦସ୍ୟ ବସିବେ ବୋଲି ଆଶା କରାଯାଉଛି । ଭବିଷ୍ୟତର ଆବଶ୍ୟକତାକୁ ଦୃଷ୍ଟିରେ ରଖି ରାଜ୍ୟସଭା ଚାମ୍ବରରେ ୩୮୪ ସଦସ୍ୟଙ୍କ ପାଇଁ ବସିବାର କ୍ଷମତା ରହିବ । ପୁନଃବିକଶିତ ଶ୍ରମ ଶକ୍ତି ଭବନରେ ପ୍ରତ୍ୟେକ ସଦସ୍ୟଙ୍କର ୪୦ ବର୍ଗ ମିଟର ଅଫିସ୍‌ ସ୍ଥାନ ରହିବ, ଯାହା ୨୦୨୪ ସୁଦ୍ଧା ଶେଷ ହେବ ।

Comments (0)
Add Comment