ନୂଆଦିଲ୍ଲୀ: ଅନ୍ୟ ପଛୁଆ ବର୍ଗ(ଓବିସି) ପାଇଁ ସଂରକ୍ଷଣ ମାମଲାରେ ସୁପ୍ରିମକୋର୍ଟ ଆଜି ଏକ ମହତ୍ତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି । କୋର୍ଟ କହିଛନ୍ତି ଯେ ପାଠପଢା ତଥା ନାମ ନାମଲେଖା କ୍ଷେତ୍ରରେ ଯୋଗ୍ୟତା ସଂରକ୍ଷଣ ପରସ୍ପରର ବିପରୀତ ନୁହନ୍ତି । ସାମାଜିକ ନ୍ୟାୟ ପାଇଁ ସଂରକ୍ଷଣ ଆବଶ୍ୟକ । ଯୋଗ୍ୟତା ସହିତ ସଂରକ୍ଷଣ ମଧ୍ୟ ଆବଶ୍ୟକ । ଏହାକୁ ବିରୋଧ ବୋଲି କୁହାଯାଇପାରିବ ନାହିଁ ବୋଲି କୋର୍ଟ ତାଙ୍କ ରାୟରେ କହିଛନ୍ତି । ଏଥିସହିତ ପଛୁଆବର୍ଗଙ୍କୁ ନେଇ ଦୀର୍ଘଦିନ ଧରି ନିଟ୍(ଏନଇଇଟି) ମେଡିକାଲ ନାମଲେଖାରେ ପଛୁଆବର୍ଗଙ୍କୁ ସଂରକ୍ଷଣ ଦେବା ନେଇ ଚାଲିଥିବା ବିଭିନ୍ନ ଆଲୋଚନାର ବିରାମ ଲଗାଇଛନ୍ତି ସୁପ୍ରିମକୋର୍ଟ ।
ଡାକ୍ତରୀ ପାଠପଢାରେ ଯୋଗ୍ୟତା ଉପରେ ଗୁରୁତ୍ୱ ଦିଆଯିବା ଦରକାର, ସଂରକ୍ଷଣ ନୁହଁ ବୋଲି ଦାବି ହେଉଥିଲା । ଏହାପରେ କେନ୍ଦ୍ର ସରକାରଙ୍କ ଦ୍ୱାରା ୨୭ ପ୍ରତିଶତ ସଂରକ୍ଷଣକୁ ଚ୍ୟାଲେଞ୍ଜ କରି କୋର୍ଟରେ ମାମଲା ଚାଲିଥିଲା । ସୁପ୍ରିମକୋର୍ଟ କହିଛନ୍ତି ଯେ ଅଲ ଇଣ୍ଡିଆ କୋଟାରେ ୨୭ ପ୍ରତିଶତ ସଂରକ୍ଷଣ ସାମ୍ବିଧାନିକ ବୈଧତା ରହିଛି । ଏମିତିରେ କେନ୍ଦ୍ର ଏପରି ସଂରକ୍ଷଣ ଦେବା ପୂର୍ବରୁ କୋର୍ଟର ଅନୁମତି ନେବା ଆବଶ୍ୟକ ନାହିଁ । ସଂରକ୍ଷଣ ଦେବା ପାଇଁ କେନ୍ଦ୍ର ପୂର୍ବରୁ ନେଇଥିବା ନିଷ୍ପତ୍ତି ଠିକ୍ ବୋଲି ସୁପ୍ରିମକୋର୍ଟରେ ଜଷ୍ଟିସ୍ ଡିଏ ଚନ୍ଦ୍ରଚୂଡ ଏବଂ ଜଷ୍ଟିସ୍ ଏସ୍ ବୋପାନ୍ନାଙ୍କ ସ୍ୱତନ୍ତ୍ର ବେଞ୍ଚ କହିଛନ୍ତି । ତେଣୁ ମେଡିକାଲ ସିଟରେ ୨୭ ପ୍ରତିଶତ ସଂରକ୍ଷଣ ଲାଗୁ କରିବାକୁ କେନ୍ଦ୍ରର ନିଷ୍ପତ୍ତିକୁ କୋର୍ଟ ସମର୍ଥନ କରିଛି । ନିକଟରେ ଆର୍ଥିକ ଦୁର୍ବଳ ଶ୍ରେଣୀ ବା ଇଡବ୍ଲୁଏସ୍ ବର୍ଗ (ଆଠ ଲକ୍ଷ ବାର୍ଷିକ)ଙ୍କୁ କାଉନସେଲିଂରେ ସଂରକ୍ଷଣ ଦେବାକୁ ଅନୁମତି ଦେଇଛନ୍ତି । କୋଟା ଉପରେ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିବା ପରେ କେନ୍ଦ୍ର ସରକାରଙ୍କ ତରଫରୁ ସଲିସିଟର ଜେନେରାଲ ତୁଷାର ମେହେଟା ଶୀଘ୍ର ଶୁଣାଣି କରିବାକୁ ପ୍ରଧାନ ବିଚାରପତିଙ୍କୁ ଦାବି କରିଛନ୍ତି । ଏବେ ଏନଇଇଟି ନାମଲେଖା ଚାଲିଥିବା ବେଳେ ସୁପ୍ରିମକୋର୍ଟଙ୍କ ଏପରି ରାୟକୁ ବିଭିନ୍ନ ଆଡୁ ସ୍ୱାଗତ କରାଯାଇଛି । ଏହାବାଦ ୫ ରାଜ୍ୟରେ ନିର୍ବାଚନୀ ପ୍ରଚାର ଜମୁଥିବାବେଳେ ପାଠ ପଢାରେ ପଛୁଆବର୍ଗଙ୍କୁ କେନ୍ଦ୍ରର ୨୭ ପ୍ରତିଶତ ସଂରକ୍ଷଣ ନିଷ୍ପତ୍ତିକୁ ସୁପ୍ରିମକୋର୍ଟ ଯଥାର୍ଥ କହିଥିବାରୁ ଏହା ଶାସକ ବିଜେପିକୁ ବେଶ ସୁହାଇଛି ।