ନୂଆଦିଲ୍ଲୀ : ଦେଶରେ କରୋନା ନୂଆ ଭାରିଏଣ୍ଟ ଓମିକ୍ରନ ମାମଲା ଧୀରେ ଧୀରେ ବଢିବାରେ ଲାଗିଛି । ଆଜି ରାଜସ୍ଥାନର ରାଜଧାନୀ ଜୟପୁରର ଏକ ପରିବାରର ୯ଜଣ ଏହି ନୂଆ ଭାରିଏଣ୍ଟରେ ସଂକ୍ରମିତ ହୋଇଥିବା ଜଣାପଡିଛି । ପରିବାରର ୪ଜଣ ନିକଟରେ ଦକ୍ଷିଣ ଆଫ୍ରିକାରୁ ଫେରିଥିଲେ ।
ଏମାନଙ୍କ ସଂପର୍କରେ ଆସିଥିବା ପରିବାରର ଅନ୍ୟ ୫ଜଣ ମଧ୍ୟ ଓମିକ୍ରନରେ ସଂକ୍ରମିତ ହୋଇଥିବା ଜଣାପଡିଛି । ଏହି ୯ଜଣଙ୍କୁ ମିଶାଇ ଦେଶରେ ଏପର୍ଯ୍ୟନ୍ତ ୨୧ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆଜି ସଂଧ୍ୟା ସୁଦ୍ଧା ମହାରାଷ୍ଟ୍ରରେ ଏ ପର୍ଯ୍ୟନ୍ତ ୮ଜଣ ଏହି ରୋଗୀ ଚିହ୍ନଟ ହୋଇଥିବା ବେଳେ କର୍ଣ୍ଣାଟକରୁ ଦୁଇଜଣ ରହିଛନ୍ତି । ସେହିପରି ଦିଲ୍ଲୀ ଓ ଗୁଜୁରାଟରୁ ଜଣେ ଲେଖାଏଁ ଏହି ରୋଗୀ ଚିହ୍ନଟ ହୋଇଛନ୍ତି ।