ଗିରଫ ହୋଇପାରନ୍ତି ପାକ୍‌ ପ୍ରଧାନମନ୍ତ୍ରୀ

ଇସଲାମାବାଦ: ପାକିସ୍ଥାନରେ ନୂଆ ସରକାର ଆସିବା ଦୁଇ ମାସ ହୋଇଗଲାଣି । କିନ୍ତୁ ଆର୍ଥିକ ବ୍ୟବସ୍ଥାରେ କୌଣସି ସୁଧାର ଆସି ନାହିଁ । ସଙ୍କଟ ବଢୁଛି,ପରିସ୍ଥିତି ଆହୁରି ଜଟିଳ ହେଉଛି । ସରକାରଙ୍କ ପାଇଁ ସଙ୍କଟ ବଢିବାରେ ଲାଗିଛି । ଏପରି କି, ଖୁବ୍‌ଶୀଘ୍ର ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ ଗିରଫ ହୋଇପାରନ୍ତି । କେବଳ ସେ ନୁହେଁ, ତାଙ୍କ ପୁଅକୁ ମଧ୍ୟ ଗିରଫ କରାଯାଇପାରେ ବୋଲି ସୂଚନା ମିଳିଛି । ବହୁ ବିଲିୟନ ଡଲାରର ଅର୍ଥ ହେରଫେର ମାମଲାରେ ଅଧିକ ତଦନ୍ତ ପାଇଁ ପ୍ରଧାନମନ୍ତ୍ରୀ ଶାହବାଜ ସରିଫ ଏବଂ ତାଙ୍କ ପୁଅ ତଥା ପାକିସ୍ତାନ ପାର୍ଶ୍ୱରେ ପଞ୍ଜାବର ମୁଖ୍ୟମନ୍ତ୍ରୀ ହାମଜା ଶାହବାଜଙ୍କୁ ଗିରଫ କରିବାକୁ ଶନିବାର କୋର୍ଟକୁ ଅନୁରୋଧ କରାଯାଇଛି । ତେବେ କୋର୍ଟ ଶାହବାଜ ଏବଂ ହାମଜାଙ୍କ ଆଗୁଆ ଜାମିନକୁ ଜୁନ୍‌ ୧୧ ପର୍ଯ୍ୟନ୍ତ ବଢାଇ ଦେଇଛନ୍ତି । ୧୪୦୦ କୋଟି ଟଙ୍କାର ଅର୍ଥ ହେରଫେର ମାମଲାରେ ପ୍ରଧାନମନ୍ତ୍ରୀ ଏବଂ ଅନ୍ୟ ସନ୍ଦିଗ୍ଧଙ୍କ ବିରୋଧରେ ମଧ୍ୟବର୍ତ୍ତୀକାଳୀନ ଅନୁସନ୍ଧାନ ରିପୋର୍ଟ ଦାଖଲ କରାଯାଇଛି । କଡା ସୁରକ୍ଷା ମଧ୍ୟରେ ଶାହବାଜ ଏବଂ ହାମଜା ସ୍ୱତନ୍ତ୍ର କୋର୍ଟରେ ହାଜର ହୋଇଥିଲେ । କୋର୍ଟର ଜଣେ ଅଧିକାରୀଙ୍କ କହିବା ମୁତାବକ, “ଜଣେ ଏଫଆଇଆର ଓକିଲ ମଧ୍ୟବର୍ତ୍ତୀକାଳୀନ ତଦନ୍ତ ରିପୋର୍ଟ ଦାଖଲ କରି ପ୍ରଧାନମନ୍ତ୍ରୀ ଶାହବାଜ ଏବଂ ପଞ୍ଜାବର ମୁଖ୍ୟମନ୍ତ୍ରୀ ହାମଜାଙ୍କୁ ଗିରଫ କରିବାକୁ କହିଛନ୍ତି । ଏହି ଘଟଣାରେ ଅଧିକ ତଦନ୍ତ ପାଇଁ ସେମାନଙ୍କୁ ଗିରଫ କରାଯିବା ଆବଶ୍ୟକ କାରଣ ସେମାନେ ଅନୁସନ୍ଧାନରେ ଯୋଗ ଦେଇନାହାଁନ୍ତି ଏବଂ ଅନୁସନ୍ଧାନକାରୀଙ୍କ ସହ ସହଯୋଗ କରିନାହାଁନ୍ତି ବୋଲି ସେ ସେ ଯୁକ୍ତି ବାଢିଛନ୍ତି । ସେପଟେ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ଓକିଲ ୠଓଇ କରିଥିବା ଆବେଦନ ଉପରେ ଆପତ୍ତି ଉଠାଇଛନ୍ତି ଏବଂ ଏଜେନ୍ସିର ଏହା ମିଛ ଦାବି ବୋଲି କହିଛନ୍ତି । ଶାହବାଜଙ୍କ ଓକିଲ ଅହମ୍ମଦ ପରଭେଜ କହିଛନ୍ତି, ଲାହୋର ଜେଲରେ ଥିବାବେଳେ ଶାହବାଜ ଏବଂ ହାମଜାଙ୍କ ଭୂମିକାକୁ ଏଫଆଇଏ ଯାଞ୍ଚ କରିସାରିଛି । ପରଭେଜ କହିଛନ୍ତି ଯେ ଜେଲରେ ଥିବାସତ୍ତେ୍ୱ ହାମଜା ଓ ଶାହବାଜ ତଦନ୍ତରେ ଯୋଗ ଦେଇଥିଲେ ଏବଂ ଏଫଆଇଏ କାର୍ଯ୍ୟାଳୟରେ ଅନୁସନ୍ଧାନକାରୀଙ୍କ ନିକଟରେ ହାଜର ହୋଇଥିଲେ ।

Comments (0)
Add Comment