ଋଣ ଓ ବେରୋଜଗାରୀ ନେଇଛି ୨୬ ହଜାର ଜୀବନ

ନୂଆଦିଲ୍ଲୀ,୯/୨ : ଦେଶରେ ବେରୋଜଗାରୀ ଅନ୍ୟତମ ବଡ଼ ସମସ୍ୟା । ଏଥିଯୋଗୁ ଲକ୍ଷ ଲକ୍ଷ ଯୁବକ-ଯୁବତୀ ଭୀଷଣ ମାନସିକ ଯନ୍ତ୍ରଣା ଭୋଗ କରୁଛନ୍ତି । ସେହିପରି ଋଣ କବଜାରେ ପଡ଼ି ମଧ୍ୟ ବହୁ ଲୋକ ଛଟପଟ ହେଉଛନ୍ତିି । ଏହି ସମସ୍ୟାରେ ଜଜ୍‌ର୍ରିତ ହୋଇ ବହୁ ଲୋକ ପ୍ରାଣ ମଧ୍ୟ ହରାଇଛନ୍ତି । ସେ ନେଇ କେନ୍ଦ୍ର ସରକାର ଆଜି ସଂସଦରେ ଯେଉଁ ତଥ୍ୟ ରଖିଛନ୍ତି,ତାହା ଅତ୍ୟନ୍ତ ହୃଦୟବିଦାରକ । ସରକାର ଆଜି ସଂସଦରେ ବେରୋଜଗାରୀ ଯୋଗୁଁ ଆତ୍ମହତ୍ୟା କରିଥିବା ଲୋକଙ୍କ ଏକ ସଂଖ୍ୟା ଗୃହରେ ଉପସ୍ଥାପନ କରିଛନ୍ତି । ଗତ ତିନି ବର୍ଷରେ ରୋଜଗାର ନଥିବା କାରଣରୁ ପ୍ରାୟ ୧୦ ହଜାର ଜଣ ନିଜର ଜୀବନ ହାରିଛନ୍ତି । ଏହାଛଡା ସରକାର ସୂଚନା ଦେଇ କହିଛନ୍ତି, ୨୦୧୮ରୁ ୨୦୨୦ ମଧ୍ୟରେ ପ୍ରାୟ ୧୬ ହଜାରରୁ ଅଧିକ ଲୋକେ ଦେବାଳିଆ କିମ୍ୱା ଅତ୍ୟଧିକ ଋଣ କାରଣରୁ ଆତ୍ମହତ୍ୟା କରିଛନ୍ତି । ରାଜ୍ୟସଭାରେ କେନ୍ଦ୍ର ଗୃହ ରାଜ୍ୟ ମନ୍ତ୍ରୀ ନିତ୍ୟାନନ୍ଦ ରାୟ ଏହି ତଥ୍ୟ ଉପସ୍ଥାପନ କରିଛନ୍ତି । ସେ କହିଛନ୍ତି, ୨୦୨୦ରେ ୫ ହଜାର ୨୧୩ ଜଣ, ୨୦୧୯ରେ ୫ ହଜାର ୯୦୮ ଏବଂ ୨୦୧୮ରେ ୪ ହଜାର ୯୭୦ ଜଣ ଦେବାଳିଆ କିମ୍ୱା ଋଣଜନିତ କାରଣ ଯୋଗୁଁ ଆତ୍ମହତ୍ୟା କରିଛନ୍ତି । ଏକ ଲିଖିତ ପ୍ରଶ୍ନର ଉତ୍ତରରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି, ୨୦୨୦ରେ ବେରୋଜଗାରୀ ପାଇଁ ୩ ହଜାର ୫୪୮, ୨୦୧୯ରେ ୨ ହଜାର ୮୫୧ ଏବଂ ୨୦୧୮ରେ ୨ ହଜାର ୭୪୧ ଜଣ ଆତ୍ମହତ୍ୟା କରିଛନ୍ତି ।

Comments (0)
Add Comment