ନୂଆଦିଲ୍ଲୀ : ଏଣିକି ଟ୍ରେନ ଯାତ୍ରୀମାନେ ଟ୍ରେନ ଭିତରେ ରନ୍ଧା ଖାଦ୍ୟ ପାଇପାରିବେ । ଏ ବାବଦରେ ରେଳବାଇ ବୋର୍ଡ ଏକ ନିର୍ଦ୍ଦେଶ ଜାରି କରିଛି । ବୋର୍ଡ ଦ୍ୱାରା ଜାରି କରାଯାଇଥିବା ନିର୍ଦ୍ଦେଶରେ କୁହାଯାଇଛି ଯେ ବର୍ତ୍ତମାନ ଟ୍ରେନରେ ଯାତ୍ରୀମାନଙ୍କ ପାଇଁ ରନ୍ଧା ଖାଦ୍ୟର ସେବା ଉପଲବ୍ଧ ହେବ । କୋଭିଡ -୧୯ ସହ ଜଡିତ ପ୍ରତିବନ୍ଧକ ହେତୁ ଏହି ସେବା ବନ୍ଦ ହୋଇଥିଲା ।
ଶୁକ୍ରବାର ଦିନ ରେଳବାଇ ବୋର୍ଡ ଏକ ଚିଠି ମାଧ୍ୟମରେ ଭାରତୀୟ ରେଳ କ୍ୟାଟରିଂ ଆଣ୍ଡ ଟୁରିଜିମ୍ କର୍ପୋରେସନ୍ (ଆଇଆରସିଟିସି) କୁ ଏହି ସେବା ଆରମ୍ଭ କରିବାକୁ କହିଛି । ସେହିପରି ଟ୍ରେନ୍ ଭିତରେ ପ୍ରସ୍ତୁତ ଖାଦ୍ୟ ଖାଇବାର ସୁବିଧା ଜାରି ରହିବ ବୋଲି ବୋର୍ଡ ପକ୍ଷରୁ ସ୍ପଷ୍ଟ କରାଯାଇଛି ।