ବସ୍ତି ଝିଅ ଏବେ ମାଇକ୍ରୋସଫ୍ଟର ପ୍ରଡକ୍ଟ ମ୍ୟାନେଜର

ମୁମ୍ବାଇ : ନିଷ୍ଠା ଓ ଦୃଢ ସଂକଳ୍ପ ଥିଲେ ଅନେକ ଅସାଧ୍ୟ କାର୍ଯ୍ୟ ସାଧିତ ହୋଇପାରିବ । ଏହାର ଅନେକ ଉଦାହରଣ ରହିଛି । ବହୁ ଗରିବ ଓ ସୁବିଧା ସୁଯୋଗରୁ ବଞ୍ଚିତ ବ୍ୟକ୍ତି ନିଜର ଦୃଢ ଇଚ୍ଛାଶକ୍ତି ବଳରେ ନିଜ ଲକ୍ଷ୍ୟ ସ୍ଥଳରେ ପହଞ୍ଚିପାରିଛନ୍ତି । ହେିପରି ଜଣେ ବ୍ୟକ୍ତି ହେଲେ ସହିନା ଅଟରୱାଲା ।
ଏବେ ସେ ମାଇକ୍ରୋସଫ୍ଟର ପ୍ରଡକ୍ଟ ଡିଜାଇନ୍‌ ମ୍ୟାନେଜର । ବସ୍ତିରୁ ମୁମ୍ବାଇର ଆପାର୍ଟମେଣ୍ଟର ପର୍ଯ୍ୟନ୍ତ ଯାତ୍ରା କେମିତି ଥିଲା,ତାହାର ଅନୁଭୂତି ସେ ନିଜେ ସେୟାର କରିଛନ୍ତି । ଯାହାକି ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ନେଟ୍‌ ପ୍ଲିକ୍ସ ଏକ ସିରିଜରେ ସେ ତାଙ୍କ ପୁରୁଣା ଘର ଦେଖିବା ପରେ ନିଜ ପୁରୁଣା ସ୍ମୃତିକୁ ମନେ ପକାଇଛନ୍ତି । ସେ ନିଜ ଟ୍ୱିଟର ଆକାଉଣ୍ଟରେ ଲେଖିଛନ୍ତି,ମୁମ୍ବାଇର ଏକ ପୁରୁଣା ବସ୍ତିରେ ୨୦୧୫ରେ ମୁଁ ରହୁଥିଲି । ମୁଁ ବାନ୍ଦ୍ରା ରେଳ ଷ୍ଟେସନ ନିକଟ ଦାର୍ଗା ଗାଲୀ ବସ୍ତିରେ ରହୁଥିଲି । ବାପା ଉତ୍ତରପ୍ରଦେଶରୁ ଆସି ମୁମ୍ବାଇରେ ରହୁଥିଲେ ଆଉ ବୁଲି ବୁଲି ତେଲ ବିକୁଥିଲେ । ବସ୍ତି ଭିତରେ ଜୀବନ ଖୁବ୍‌ କଠିନ ଥିଲା । ସେଠାରେ ଖୁବ୍‌ ଜଟିଳ ପରିସ୍ଥିତି, ଲିଙ୍ଗଗତ ପକ୍ଷପାତିତା ଏବଂ ଯୌନ ଉତ୍ପୀଡ଼ନର ସମ୍ମୁଖୀନ ହେବାକୁ ପଡିଥିଲା । କିନ୍ତୁ ଏହା ଭିତରେ ଶିଖିବା ଏବଂ ଏକ ଭିନ୍ନ ଜୀବନର ପରିକଳ୍ପନା କରିବା ପାଇଁ ମୁଁ ସବୁବେଳେ ଚେଷ୍ଟା କରୁଥିଲି । ୧୫ ବର୍ଷ ବୟସରେ ମୁଁ ଦେଖିଥିଲି ଯେ ମୋ ଚାରିପାଖରେ ଥିବା ଅନେକ ମହିଳା ଅସହାୟ, ନିର୍ଭରଶୀଳ, ନିର୍ଯାତିତ ଥିଲେ । ସେମାନଙ୍କର ନିଜସ୍ୱ କୌଣସି ପସନ୍ଦ ନଥିଲା ଓ ନିଜ ଇଚ୍ଛାରେ ବଞ୍ଚିବାରେ କୌଣସି ସ୍ୱାଧିନତା ନଥିଲା କିନ୍ତୁ ମୁଁ ସେଭଳି ଭାଗ୍ୟ ଚାହୁଁ ନଥିଲି ।”

Comments (0)
Add Comment