ଟୋକିଓ : ଜାପାନରେ ଆଜି ଏକ ଅପ୍ରତ୍ୟାଶିତ ଦୁଃଖଦ ଘଟଣା ଘଟିଛି । ଜଣେ ଆତତାୟୀର ଗୁଳିମାଡ଼ରେ ପ୍ରାଣ ହରାଇଛନ୍ତି ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ । ନାରା ସହରରେ ଆଜି ସକାଳେ ଏକ ନିର୍ବାଚନୀ ପ୍ରଚାର ସଭାରେ ସେ ଭାଷଣ ଦେଉଥିଲା ବେଳେ ଆତତାୟୀ ଜଣକ ଅଚାନକ ପଛପଟୁ ଅତି ନିକଟରୁ ତାଙ୍କୁ ଲକ୍ଷ୍ୟକରି ଗୁଳିମାଡ଼ କରିଥିଲା । ଏହାପରେ ସିଞ୍ଜୋ ସେହିଠାରେ ହିଁ ଟଳିପଡ଼ିଥଲେ । ତାଙ୍କୁ ସଙ୍ଗେ ସଙ୍ଗେ ହସପିଟାଲକୁ ନିଆଯାଇଥିଲା । ସେ ଚିକିତ୍ସାଧୀନ ଥିବା ଅବସ୍ଥାରେ ୬୭ ବର୍ଷିୀୟ ସିଞ୍ଜୋଙ୍କର ମୃତ୍ୟୁ ଘଟିଥିଲା । ଆତତାୟୀକୁ ଘଟଣାସ୍ଥଳରୁ ଗିରଫ କରାଯାଇଛି । ହତ୍ୟାର କାରଣ ଜଣା ପଡ଼ିନାହିଁ । ଅଭିଯୁକ୍ତ ଘରୁ ବିପୁଳ ପରିମାଣର ବିସ୍ଫୋରକ ଜବତ କରାଯାଇଛି । ଏହା ପଛରେ ଅନ୍ତର୍ଜାତୀୟ ଷଡ଼ଯନ୍ତ୍ର ଲିଙ୍କ ଅଛି କି ନାହିଁ,ତାହାର ତଦନ୍ତ କରାଯାଉଛି । ଏହି ହତ୍ୟା ଘଟଣାରେ ସାରା ବିଶ୍ୱ ସ୍ତବ୍ଧ!୧୯୯୦ ପରଠାରୁ କୌଣସି ତୁଙ୍ଗ ଜାପାନୀ ନେତାଙ୍କ ଉପରେ ଏହା ପଞ୍ଚମ ଆକ୍ରମଣ ମାମଲା । ସିଞ୍ଜୋଙ୍କୁ ହତ୍ୟା ଘଟଣାକୁ ବିଶ୍ୱବ୍ୟାପୀ ନିନ୍ଦା କରାଯାଇଛି । ବିଶ୍ୱ ନେତାମାନେ ତାଙ୍କ ମୃତ୍ୟୁରେ ଗଭୀର ଶୋକ ପ୍ରକାଶ କରିବା ସହ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି । ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥଙ୍କ ସମେତ ବହୁ କେନ୍ଦ୍ରମନ୍ତ୍ରୀ, କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି, ସାଂସଦ ରାହୁଲ ଗାନ୍ଧି, ବିଜେପିର ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା ଓ ଆହୁରି ବହୁ ରାଜନେତା ଓ ବ୍ୟକ୍ତିବିଶେଷ ଗଭୀର ଶୋକ ପ୍ରକାଶ କରିଛନ୍ତି । ସିଞ୍ଜୋଙ୍କ ପରଲୋକରେ ଭାରତରେ ଆସନ୍ତାକାଲି ଦିନିକିଆ ରାଷ୍ଟ୍ରୀୟ ଶୋକ ଦିବସ ପାଳନ କରାଯିବ । ଆଜି ପ୍ରଧାନମନ୍ତ୍ରୀ ଏହା ଘୋଷଣା କରିଛନ୍ତି ।
ସିଞ୍ଜୋ ଜାପାନରେ ଦୀର୍ଘ ସମୟ ଧରି ପ୍ରଧାନମନ୍ତ୍ରୀ ଥିଲେ । ସେ ୨୦୦୬ ରୁ ୨୦୦୭ ପର୍ଯ୍ୟନ୍ତ ଏବଂ ପୁନର୍ବାର ୨୦୧୨ ରୁ ୨୦୨୦ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଥିଲେ । ତାଙ୍କ ଜେଜେବାପା ମଧ୍ୟ ଜାପାନର ପ୍ରଧାନମନ୍ତ୍ରୀ ଥିଲେ ଏବଂ ତା’ପରେ ତାଙ୍କ ପିତା ମଧ୍ୟ ଦେଶର ବୈଦେଶିକ ମନ୍ତ୍ରୀ ଥିଲେ । ୨୦୨୦ରେ ସେ ଖରାପ ସ୍ୱାସ୍ଥ୍ୟ କାରଣରୁ ଇସ୍ତଫା ଦେଇଥିଲେ ।