୬ଜଣଙ୍କୁ ଘାଇଲା କଲା ଶୃଗାଳ

ଶୃଗାଳ ଆକ୍ରମଣରେ ଗୋଟିଏ ପରିବାରର ୬ଜଣ ଗୁରୁତର ହୋଇଛନ୍ତି। ଗ୍ରାମବାସୀ ଶୃଗାଳକୁ ଘେରିବା ସହ ପିଟି ପିଟି ମାରିଦେଲେ

ଉତ୍ତରପ୍ରଦେଶର : ବାଘ, ଚିତାବାଘ, ଗଧିଆ ଭଳି ବନ୍ୟଜନ୍ତୁଙ୍କ ଆତଙ୍କ ଉତ୍ତରପ୍ରଦେଶର ଅନେକ ଜିଲ୍ଲାରେ ଲାଗି ରହିଛି। ଏହି ଭିତରେ ହମିରପୁରରେ ଶୃଗାଳ ଆକ୍ରମଣରେ ଗୋଟିଏ ପରିବାରର ୬ଜଣ ଗୁରୁତର ହୋଇଛନ୍ତି। ଏଥିରେ ଉତକ୍ଷିପ୍ତ ହୋଇ ଗ୍ରାମବାସୀ ଶୃଗାଳକୁ ଘେରିବା ସହ ପିଟି ପିଟି ମାରିଦେଇଥିବା ଜଣାପଡିଛି। ଜଲାଲପୁର ଥାନା ବିଲପୁର ଗାଁର ଏହି ଘଟଣା ପରେ ସ୍ଥାନୀୟ ଲୋକ ଭୟଭୀତ ଅବସ୍ଥାରେ ଅଛନ୍ତି। ସୂଚନା ଅନୁସାରେ ଜଙ୍ଗଲରୁ ଗୋଟିଏ ଶୃଗାଳ ଗାଁକୁ ଚାଲି ଆସିଥିଲା। ଗାଁର ଜଣେ ବ୍ୟକ୍ତିଙ୍କ ଘରେ ପଶି ଆକ୍ରମଣ କରିଥିଲା। ଆକ୍ରମଣରେ ୬ଜଣ ଗୁରୁତର ହୋଇଥିବାର ସୂଚନା ମିଳିଛି। ଏମାନଙ୍କ ମଧ୍ୟରେ ଜଣେ ମହିଳା ଓ ୫ଜଣ ପୁରୁଷ ଥିବା ଜଣାପଡ଼ିଛି। ସେମାନଙ୍କୁ ଗୁରୁତର ଅବସ୍ଥାରେ ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳରେ ଗ୍ରାମବାସୀ ପହଞ୍ଚି ଶୃଗାଳଟିକୁ କାବୁ କରିବା ସହ ପିଟି ପିଟି ମାରିଦେଇଥିବା ସୂଚନା ମିଳିଛି।

ହମିରପୁର ଡିଏଫଓ ଅନିଲ ଶ୍ରୀବାସ୍ତବଙ୍କ ସୂଚନା ଅନୁୟାୟୀ, ଶୃଗାଳଟି ବାଟବଣା ହୋଇ ଗାଁରେ ପଶିଯାଇଥିଲା। ଭୟ କିମ୍ବା ଆତ୍ମରକ୍ଷା ପାଇଁ ଲୋକଙ୍କୁ ଆକ୍ରମଣ କରିଥାଇ ପାରେ। ତେବେ ଆକ୍ରମଣରେ କିଛି ଲୋକ ଆହତ ହୋଇଛନ୍ତି। ବର୍ତ୍ତମାନ ବନ ବିଭାଗ ଟିମ୍‌ ଘଟଣାସ୍ଥଳକୁ ଯାଇ ତଦନ୍ତ କରୁଛି। ସୂଚନା ଅନୁଯାୟୀ ତଦନ୍ତ ପରେ ସତ୍ୟ ଘଟଣା ପଦାକୁ ଆସିବ।

ଜଲାଲପୁର ଥାନା ଅଧିକାରୀ ଉମାଶଙ୍କର କହିଛନ୍ତି ଯେ ଏପର୍ଯ୍ୟନ୍ତ ଶୃଗାଳ ଆକ୍ରମଣ ସମ୍ପର୍କରେ କୌଣସି ଖବର ମିଳିନି। ତେବେ ବୁନ୍ଦେଲଖଣ୍ଡର ଜଙ୍ଗଲରେ ବହୁ ସଂଖ୍ୟାରେ ଶୃଗାଳ ଦେଖିବାକୁ ମିଳେ। ଅନେକ ସମୟରେ ଏମାନେ ମଣିଷ ଉପରେ ଆକ୍ରମଣ କରିଥିବା ଖବର ମଧ୍ୟ ଦେଖିବାକୁ ମିଳେ। ସୂଚନାଯୋଗ୍ୟ ଯେ ବାହରାଇଚର ୩୫ଟି ଗାଁର ଲୋକ ମଣିଷ ଖିଆ ଗଧିଆର ଆତଙ୍କ ଯୋଗୁଁ ଭୟଭୀତ ଅବସ୍ଥାରେ ଜୀବନ ବିତାଉଛନ୍ତି। ଗଧିଆ ଆକ୍ରମଣେ ଏଯାଏ ପ୍ରାୟ ୧୦ ଜଣଙ୍କର ମୃତ୍ୟୁ ହେଲାଣି। ଏଥିସହିତ ପିଲିବିଟରେ ବାଘ ଭୟ ଲାଗି ରହିଛି। ସୁଲତାନପୁର ଜିଲ୍ଲାରେ ମଧ୍ୟ ଗଧିଆ ଦେଖିବାକୁ ମିଳିଛି। ଏହି ସମୟରେ ହମିରପୁରରେ ଶୃଗାଳ ଆକ୍ରମଣ ଖବର ସମସ୍ତଙ୍କୁ ଆତଙ୍କିତ କରିଛି।

Comments (0)
Add Comment