ସିଡବ୍ଲୁସି ବୈଠକରେ ନିର୍ବାଚନୀ ବିପର୍ଯ୍ୟୟ ସମୀକ୍ଷା : ସୋନିଆଙ୍କ ନେତୃତ୍ୱରେ ହିଁ ଆଗକୁ ବଢିବ ଦଳ

ନୂଆଦିଲ୍ଲୀ,୧୩/୩ : ନେତୃତ୍ୱରେ କୌଣସି ପରିବର୍ତ୍ତନ ହେବ ନାହିଁ । ସୋନିଆ ଗାନ୍ଧିଙ୍କ ନେତୃତ୍ୱରେ ହିଁ କଂଗ୍ରେସ ଆଗକୁ କାର୍ଯ୍ୟ କରିବ । ତାଙ୍କ ନେତୃତ୍ୱରେ ଦଳ ଆଗକୁ ବଢିବ । ଏହିଭଳି ସହମତି ପ୍ରକାଶ ପାଇଛି ଆଜି ଏଠାରେ ଅନୁଷ୍ଠିତ ଏଆଇସିସିର କାର୍ଯ୍ୟକାରିଣୀ ବୈଠକରେ । ବୈଠକ ପରେ ବରିଷ୍ଠ ନେତା ମଲ୍ଲିକାର୍ଜୁନ ଖାଡ଼ଗେ ସାମ୍ବାଦିକମାନଙ୍କୁ ଆଜି ଏହି ସୂଚନା ଦେଇଛନ୍ତି । ସଦ୍ୟ ସମାପ୍ତ ୫ଟି ରାଜ୍ୟର ବିଧାନସଭା ପାଇଁ ହୋଇଥିବା ନିର୍ବାଚନରେ ଶେଚନୀୟ ପରାଜୟର ସମ୍ମୁଖୀନ ହେବା ପରେ କଂଗ୍ରେସର ମଧ୍ୟବର୍ତ୍ତୀକାଳୀନ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଆଜି ଅପରାହ୍ନରେ ଅଖିଳ ଭାରତ କଂଗ୍ରେସ କମିଟି (ଏଆଇସିସି) କାର୍ଯ୍ୟାଳୟରେ କଂଗ୍ରେସ କାର୍ଯ୍ୟକାରୀ କମିଟି (ସିଡବ୍ଲ୍ୟୁସି) ବୈଠକ ଡକାଇଥିଲେ । କଂଗ୍ରେସର ମଧ୍ୟବର୍ତ୍ତୀକାଳୀନ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ସମସ୍ତ ୫ଟି ରାଜ୍ୟରେ ଦଳର ବିପର୍ଯ୍ୟୟ ଏବଂ ସାମ୍ପ୍ରତିକ ରାଜନୈତିକ ପରିସ୍ଥିତି ଉପରେ ଆଲୋଚନା କରାଯାଇଥିଲା । ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ୪୦୩ଟି ଆସନ ମଧ୍ୟରୁ କଂଗ୍ରେସ ମାତ୍ର ୨ ଟି ଆସନ ପାଇଛି । ଅନ୍ୟପକ୍ଷରେ ପଞ୍ଜାବରେ କଂଗ୍ରେସର ଆଭ୍ୟନ୍ତରୀଣ ବିବାଦ ପାଇଁ ଆପ୍‌କୁ ସରକାର ଗଠନ ପାଇଁ ଭୋଟର ଭୋଟ ଦେଇଛନ୍ତି । ସେହିପରି, ମଣିପୁର, ଗୋଆ ଏବଂ ଉତ୍ତରାଖଣ୍ଡରେ ମଧ୍ୟ କଂଗ୍ରେସ ଦଳର ପ୍ରଦର୍ଶନ ଶୋଚନୀୟ ରହିଛି । ଆଜିର ବୈଠକରେ ମଲ୍ଲିକାର୍ଜୁନ ଖାର୍ଗେ, ଅମ୍ବିକା ସୋନି, ସଲମାନ ଖୁର୍ସିଦ, ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ସମେତ ଅନ୍ୟ ଦଳୀୟ ନେତା କଂଗ୍ରେସ କାର୍ଯ୍ୟକାରୀ କମିଟି (ସିଡବ୍ଲ୍ୟୁସି) ବୈଠକରେ ଯୋଗ ଦେଇଥିଲେ । ଅନ୍ୟପକ୍ଷରେ କଂଗ୍ରେସର ଦଳୀୟ ନେତୃତ୍ୱ ଉପରେ ପ୍ରଶ୍ନ ଉଠାଇଥିବା ଏବଂ ଦଳର ସଂଗଠନକୁ ପୁନର୍ଗଠନ ପାଇଁ ଦାବି କରୁଥିବା ଜି-୨୩ ଅସନ୍ତୁଷ୍ଟ ନେତାମାନେ ପୂର୍ବରୁ ସୂଚାଇ ଦେଇଥିଲେ ଯେ ସାଂଗଠନିକ ସ୍ତରରେ ଆଭ୍ୟନ୍ତରୀଣ ମତଦାନ ପ୍ରସଙ୍ଗ ପୁନର୍ବାର ଉଠା ଯାଇପାରିବ ନାହିଁ । ବୈଠକ ପୂର୍ବରୁ ଆଜି ଏକ ବିଚିତ୍ର କଥା ଦେଖିବାକୁ ମିଳିଥିଲା । ବୈଠକ ବସିଥିବା ବେଳେ ରାହୁଲ ଗାନ୍ଧିଙ୍କ ସପକ୍ଷରେ ସ୍ୱର ଉଠାଇଥିଲେ ଦଳୀୟ କର୍ମୀ । ରାହୁଲ ଗାନ୍ଧି ହିଁ କଂଗ୍ରେସର ଅଧ୍ୟକ୍ଷ ହୁଅନ୍ତୁ ବୋଲି ଦଳୀୟ କର୍ମୀ ଦାବି କରିଛନ୍ତି ।

Comments (0)
Add Comment