ନୂଆଦିଲ୍ଲୀ: ଭାରତ ସହ ତାଲିବାନ ଭଲ ସଂପର୍କ ଚାହୁଁଛି । ଏମିତି କହିଛନ୍ତି ଦୋହାରେ ତାଲିବାନର ରାଜନୈତିକ କାର୍ଯ୍ୟାଳୟର ଡେପୁଟି ଡାଇରେକ୍ଟର ଶେର ମହମ୍ମଦ ଅବ୍ୱାସ ଷ୍ଟାନିକଜାଇ । ସେ ଏକ ୪୫ ମିନିଟର ଲମ୍ବା ଭିଡିଓ ବିବୃତ୍ତିରେ ବିଶ୍ୱ ସହିତ ଥିବା ସମ୍ପର୍କ ବିଷୟରେ କହିଛନ୍ତି । ଏଥିରେ ଭାରତ ବିଷୟରେ ଅନେକ ଗୁରୁତ୍ୱପୂର୍ଣ୍ଣ କଥା କୁହାଯାଇଛି । ଷ୍ଟାନିକଜାଇ କହିଛନ୍ତି ଯେ ଏହି ଅଞ୍ଚଳ ପାଇଁ ଭାରତ ଏକ ଗୁରୁତ୍ୱପୂର୍ଣ୍ଣ ଦେଶ । ଆମେ ଏହା ସହିତ ଆମର ସାଂସ୍କୃତିକ, ଅର୍ଥନୈତିକ ଏବଂ ବାଣିଜ୍ୟିକ ସମ୍ପର୍କକୁ ଜାରି ରଖିବାକୁ ଚାହୁଁଛୁ ।
ଷ୍ଟାନିକଜାଇ ଆହୁରି କହିଛନ୍ତି ଯେ ପାକିସ୍ତାନ ମାଧ୍ୟମରେ ଭାରତ ସହ ବାଣିଜ୍ୟ ଆମ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଭାରତ ସହିତ ବାୟୁ ବାଣିଜ୍ୟ ମଧ୍ୟ ଖୋଲା ରହିବ । ଷ୍ଟାନିକଜାଇ ଆହୁରି ମଧ୍ୟ କହିଛନ୍ତି ଯେ ଭାରତ ସହ ଆମର ରାଜନୈତିକ, ଅର୍ଥନୈତିକ ଏବଂ ବାଣିଜ୍ୟିକ ସମ୍ପର୍କକୁ ଆମେ ଗୁରୁତ୍ୱ ଦେଉଛୁ ଏବଂ ଏହି ଚୁକ୍ତିନାମା ଜାରି ରଖିବାକୁ ଆମେ ଚାହୁଁ । ଆମେ ଭାରତ ସହିତ କାମ କରିବାକୁ ଆଗ୍ରହୀ ବୋଲି ସେ ଏହି ଅବସରରେ କହିଛନ୍ତି ।