ଅଢେଇ ବର୍ଷରେ ଖତମ ହେଲେଣି ୪୩୯ ଆତଙ୍କବାଦୀ

ଶ୍ରୀନଗର : ଜମ୍ମୁ ଓ କଶ୍ମୀରରୁ ୩୭୦ ଧାରା ପ୍ରତ୍ୟାହୃତ ହେବାର ଅଢେଇ ବର୍ଷ ହୋଇଗଲାଣି । କିନ୍ତୁ ଆତଙ୍କବାଦୀ ଗତିବିଧି ପୂର୍ବପରି ଲାଗି ରହିଛି । ଗତ ଅଢେଇ ବର୍ଷ ମଧ୍ୟରେ ସେଠାରେ ୧୦୯ ଜଣ ସୁରକ୍ଷା କର୍ମୀ ସହିଦ ହୋଇଥିବା ବେଳେ ୪୩୯ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । ଆଜି ରାଜ୍ୟସଭାରେ କେନ୍ଦ୍ର ସରକାର ରଖିଥିବା ତଥ୍ୟରୁ ଏହା ଜଣାପଡ଼ିଛି । ଅଗଷ୍ଟ ୫, ୨୦୧୯ ପରଠାରୁ ଏପର୍ଯ୍ୟନ୍ତ କଶ୍ମୀର ଘାଟିରେ ପ୍ରାୟ ୫୪୧ଟି ଆତଙ୍କବାଦୀ କାର୍ଯ୍ୟକଳାପ ହୋଇଛି । ରାଜ୍ୟସଭାରେ ଏକ ଲିଖିତ ପ୍ରଶ୍ନର ଉତ୍ତର ରଖି କେନ୍ଦ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ କହିଛନ୍ତି ଯେ ଏସବୁ ଆତଙ୍କବାଦୀ କାର୍ଯ୍ୟକଳାପରେ କେବଳ ଆତଙ୍କବାଦୀ ବା ସୁରକ୍ଷାବଳ ନିହତ ହୋଇଛନ୍ତି, ତାହା ନୁହେଁ, ପ୍ରାୟ ୯୮ ଜଣ ସାଧାରଣ ଲୋକ ବି ନିହତ ହୋଇଛନ୍ତି । ତେବେ ଏସବୁ ଆତଙ୍କବାଦୀ ଘଟଣାରେ ସରକାରୀ ସଂପତ୍ତିର ବିଶେଷ କୌଣସି କ୍ଷତି ହୋଇନାହିଁ । କେନ୍ଦ୍ର ସରକାର ୨୦୧୯, ଅଗଷ୍ଟ ୫ରେ ଜମ୍ମୁ ଓ କଶ୍ମୀରରୁ ସମ୍ବିଧାନର ଧାରା ୩୭୦ ପ୍ରତ୍ୟାହାର କରିନେବା ସହ ଜମ୍ମୁ ଓ କଶ୍ମୀରକୁ ଦିଆଯାଇଥିବା ସ୍ୱତନ୍ତ୍ର କ୍ଷମତାର ବିଲୋପ ହୋଇଥିଲା । ଏହା ସହିତ ଜମ୍ମୁ ଓ କଶ୍ମୀର ଠାରୁ ଲଦାଖକୁ ଅଲଗା କରି ଉଭୟକୁ କେନ୍ଦ୍ର ଶାସିତ ଅଞ୍ଚଳର ମାନ୍ୟତା ଦିଆଯାଇଥିଲା ।

Comments (0)
Add Comment