ପାରିବାରିକ ଝଗଡ଼ାର ବିଷମ ପରିଣାମ,ଆଠ ମହଲା କୋଠାରୁ ପତ୍ନୀକୁ ଫିଙ୍ଗିଦେଲା ସ୍ୱାମୀ

ଲକ୍ଷ୍ନୌ : ବେଳେ ବେଳେ ପାରିବାରିକ ବିବାଦର ପରିଣାମ ଏଭଳି ଭୟଙ୍କର ହୋଇଥାଏ,ଯାହା ସହଜରେ ବିଶ୍ୱାସ କରିହୋଇନଥାଏ । ଏହା କେତେ ଲୋମଟାଙ୍କୁରା ଓ ଦୁଃଖଦ ହୋଇପାରେ,ତାହାର ଏକ ଦୃଷ୍ଟାନ୍ତ ଦେଖିବାକୁ ମିଳିଛି । ଗୋସାଇଗଞ୍ଜର ସଂଜୀବ କୁମାର ନାମକ ଜଣେ ବ୍ୟକ୍ତି ସ୍ତ୍ରୀଙ୍କ ସହିତ ଝଗଡ଼ାରେ ଏତେ ଉତ୍ତେଜିତ ହୋଇଯାଇଥିଲେ ଯେ ଶେଷରେ ସେ ପ୍ରଚଣ୍ଡ କ୍ରୋଧରେ ମାନସିକ ଭାରସାମ୍ୟ ହରାଇ ପତ୍ନୀ ନୀତୁଙ୍କୁ ଆଠ ମହଲା କୋଠାରୁ ତଳକୁ ଫିଙ୍ଗି ଦେଇଥଲେ ଏବଂ ଘଟଣା ସ୍ଥଳରେ ହିଁ ନୀତୁଙ୍କର ମୃତ୍ୟୁ ଘଟିଥିଲା । ନୀତୁ ୩୬ ବର୍ଷିୟ ସଞ୍ଜୀବ କୁମାରଙ୍କୁ ୨୦୧୧ ରେ ବିବାହ କରିଥିଲେ ଏବଂ ସେମାନଙ୍କର ଦୁଇଟି ସନ୍ତାନ ଅଛନ୍ତି । ଏହି ଦମ୍ପତି ମଧ୍ୟରେ ପ୍ରାୟ ପ୍ରତିଦିନ ଝଗଡା ଲାଗେ । ଗତକାଲି ମଧ୍ୟ ସେମାନଙ୍କ ମଧ୍ୟରେ ଝଗଡା ହୋଇଥିଲା । ଫଳରେ ସଞ୍ଜୀବ ରାଗରେ ଅଷ୍ଟମ ମହଲାର ଭଡା ଘରେ ରହୁଥିବା ବାଲକୋନିରୁ ନୀତୁଙ୍କୁ ତଳକୁ ଠେଲି ଦେଇଥିଲେ । ସଞ୍ଜୀବ ଏକ ଘରୋଇ ଫାର୍ମରେ ଫାଇନାନ୍ସର ଭାବେ କାମ କରୁଥିବାବେଳେ ନିତୁ ଜଣେ ଗୃହିଣୀ । ମୃତ ନିତୁଙ୍କ ଭାଇ ରାଜ କିରଣ ଅଭିଯୋଗ କରିଛନ୍ତି ଯେ ତାଙ୍କ ଭିଣୋଇ ସଞ୍ଜୀବଙ୍କ ଗତ ତିନିବର୍ଷ ଧରି ଅନ୍ୟ ଜଣେ ମହିଳାଙ୍କ ସହିତ ଅନୈତିକ ସମ୍ପର୍କ ରହିଥିଲା । ଏହାକୁ ନେଇ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ଲାଗେ । ଗତକାଲି ମଧ୍ୟ ଝଗଡ଼ା ହୋଇଥିଲା ଏବଂ କଥା ଚରମସୀମାକୁ ଯାଇଥିଲା । ଶେଷରେ ସଂଜୀବ ପ୍ରଚଣ୍ଡଭାବେ ରାଗିଯାଇ ନୀତୁଙ୍କୁ ତଳକୁ ଫିଙ୍ଗିଦେଇଥିଲେ ।

Comments (0)
Add Comment