ନୂଆଦିଲ୍ଲୀ : ଦେଶରେ କରୋନା ଭାଇରାସରର ନୂଆ ଭାରିଆଣ୍ଟ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢିବାରେ ଲାଗିଛି । ଏ ପର୍ଯ୍ୟନ୍ତ ଦେଶରେ ୨୦୦ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାପଡିଛି । ଦେଶର ୧୨ ରାଜ୍ୟରେ ଓମିକ୍ରନ ଭୂତାଣୁ ଚିହ୍ନଟ ହୋଇଛି । ଓମିକ୍ରନର ଅଧିକାଂଶ ମାମଲା ମହାରାଷ୍ଟ୍ର ଓ ଦିଲ୍ଲୀରେ ଚିହ୍ନଟ ହୋଇଛି । ଏ ପର୍ଯ୍ୟନ୍ତ ୭୭ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବା ଜଣାପଡିଛି ।
ମୋଟ ୨୦୦ ଆକ୍ରାନ୍ତଙ୍କ ମଧ୍ୟରୁ ମହାରାଷ୍ଟ୍ରରୁ ୫୪, ଦିଲ୍ଲୀରୁ ୫୪, ତେଲେଙ୍ଗାନାରୁ ୨୦, କର୍ଣ୍ଣାଟକରୁ ୧୯, ରାଜସ୍ଥାନରୁ ୧୮, କେରଳରୁ ୧୫, ଗୁଜରାଟରୁ ୧୪ ଆକ୍ରାନ୍ତ ରହିଛନ୍ତି । ସେହିପରି ଉତ୍ତରପ୍ରଦେଶରୁ ୨, ଆନ୍ଧ୍ରପ୍ରଦେଶରୁ ଜଣେ, ଚଣ୍ଡିଗଡରୁ ଜଣେ, ତାମିଲନାଡରୁ ଜଣେ ଓ ପଶ୍ଚିମବଙ୍ଗରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ଅନ୍ୟ ପକ୍ଷରେ ଆଜି ଓଡିଶାରୁ ଦୁଇଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଜଣେ କଟକ ଓ ଆଉଜଣେ ଜଗତସିଂହପୁର ଜିଲ୍ଲାର ହୋଇଥିବା ସୂଚନା ମିଳିଛି । ଏମାନଙ୍କ ମଧ୍ୟରୁ ଜଣେ ନାଇଜେରିଆ ଓ ଅନ୍ୟଜଣେ କାତାରରୁ ଓଡିଶା ଫେରିଥିବା ଜଣାପଡିଛି ।