ନୂଆଦିଲ୍ଲୀ: ଲକ୍ଷ ଲକ୍ଷ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଥିବା ମଧ୍ୟ ପ୍ରଦେଶର ପେଞ୍ଚର ରାଣୀ ଆଖି ବୁଜିଛି । ୧୭ ବର୍ଷ ବୟସରେ ବିଦାୟ ନେଇଛି ଏହି ସୁପର ମମ୍ ବାଘୁଣୀ । ପେଞ୍ଚର ବ୍ୟାଘ୍ର ଅଭୟାରଣ୍ୟରେ ଦୀର୍ଘ ବର୍ଷ ଧରି ରାଜୁତି କରିଥିବା ଏହି ବାଘୁଣୀକୁ ଲୋକେ କଲରବାଲୀ ଓ ମାତାରାମ ବୋଲି ଡାକୁଥିଲେ । ଏହି ବାଘୁଣୀ ଜଙ୍ଗଲର ସନ୍ତୁଳନ ବଜାୟ ରଖିବା ପାଇଁ ବିଶେଷ ଯୋଗଦାନ ଦେଇଛି । ପେଞ୍ଚରେ ବାଘ ବଂଶ ବଢାଇବାରେ କଲାରବାଲୀ ବିଶେଷ ଯୋଗଦାନ ଥିବା କୁହାଯାଉଛି । ସେ ହିଁ ବାଘ ବଂଶକୁ ଆଗକୁ ନେଇଛି । ମେ’ ୨୦୦୮ରେ ଏହି ପେଞ୍ଚର ରାଣୀ ତିନୋଟି ବାଘ ଛୁଆକୁ ଜନ୍ମ ଦେଇଥିଲା । ଏହାପରେ ଭିନ୍ନ ଭିନ୍ନ ବର୍ଷରେ ବାଘୁଣୀ ପ୍ରାୟ ୨୯ଟି ବାଘ ଛୁଆ ଜନ୍ମ ଦେଇଥିଲା । ଯେଉଁଥିରୁ ଏବେ କେବଳ ୨୪ଟି ଜୀବିତ ଅଛନ୍ତି । ଏକାଥରକେ ୫ଟି ଶବାକକୁ ଜନ୍ମ ଦେବା ରେକର୍ଡ ମଧ୍ୟ ଏହି ସିପର ମମ୍ ବାଘ ନାଁରେ ରହିଛି । ଏବେ ଏହି ବାଘୁଣୀର ମୃତ୍ୟୁ ପାଇଁ ଶୋକବ୍ୟକ୍ତ କରି ମଧ୍ୟପ୍ରଦେଶ ମନ୍ତ୍ରୀ ନରୋତ୍ତମ ମିଶ୍ରା ଟ୍ୱିଟ୍ କରି ଲେଖିଛନ୍ତି ‘ସୁପର୍ ମମ୍’କୁ ଶେଷ ବିଦାୟ । ୨୯ଟି ଶାବକଙ୍କୁ ଜନ୍ମ ଦେଇଥିବା ପେଞ୍ଚ୍ ଟାଇଗର୍ ରିଜର୍ଭର ‘କଲାର୍ବାଲୀ ବାଘୁଣୀ’ର ମୃତ୍ୟୁ ଖବର ଦୁଃଖଦାୟକ । ଏହି ‘ସୁପର୍ ମମ୍’ଙ୍କ ଉଲ୍ଲେଖନୀୟ ଅବଦାନ ପାଇଁ ମଧ୍ୟପ୍ରଦେଶକୁ ‘ବ୍ୟାଘ୍ର ରାଜ୍ୟ’ ବୋଲି ଗୌରବଶାଳୀ ପରିଚୟ ମିଳିଛି । ଏପିସିସିଏଫ୍’ ଏବଂ ପେଞ୍ଚର ପୂର୍ବତନ କ୍ଷେତ୍ର ନିର୍ଦ୍ଦେଶକ ଶୁଭ୍ରଞ୍ଜନ ସେନ କହିଛନ୍ତି, ବଣରେ ୧୭ ବର୍ଷ ବଞ୍ଚିବା ଗୋଟାଏ ବାଘ ପାଇଁ ବହୁତ ବଡ କଥା ।