ଦେଶରେ ୫୬ହଜାର ଅତିକ୍ରମ କଲା କରୋନା ସଂକ୍ରମିତଙ୍କ ସଂଖ୍ୟା , ଦିଲ୍ଲୀରେ ଗୋଟିଏ ଦିନରେ ୪୪୮ ପଜିଟିଭ ଚିହ୍ନଟ

ନୂଆଦିଲ୍ଲୀ : କରୋନା ଭାଇରସର ପ୍ରକୋପ କମିବାର ନା ଧରୁନାହିଁ । ଦେଶରେ ଲଗାତାର ଭାବେ କରୋନା ମାମଲା ବଢି ବଢି ଚାଲିଛି । ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଶୁକ୍ରବାର ଜାରି କରାଯାଇଥିବା ରିପୋର୍ଟ ମୁତାବକ ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୫୬,୩୪୨ରେ ପହଞ୍ଚିଛି । ଏଥିରୁ ୧,୮୮୬ ଲୋକଙ୍କ ଜୀବନ ଯାଇଥିବା ଜଣାପଡିଛି । ଗତ ତିନି ମଧ୍ୟରେ ଦେଶରେ ୧୦ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହା ପୂର୍ବରୁ ୬ ମଇରେ ୨୬୮୦, ୫ ମଇରେ ୩୮୭୫ ମାମଲା ସାମ୍ନାକୁ ଆସିଥିଲା । ଦେଶରେ ମୋଟ୍ ୫୬,୩୪୨ ସଂକ୍ରମିତଙ୍କ ମଧ୍ୟରୁ ୩୭୯୧୬ ଆକ୍ଟିଭ୍ କେସ୍ ରହିଛି । ଦେଶର ବିଭିନ୍ନ ରାଜ୍ୟରେ ଏମାନଙ୍କୁ ଚିକିତ୍ସା କରାଯାଉଛି । ୧୬୫୩୯ ଜଣ ସୁସ୍ଥ ହୋଇ ଡାକ୍ତରଖାନାରୁ ଘରକୁ ଫେରିଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ମହାରାଷ୍ଟ୍ର, ଗୁଜରାତ, ପଶ୍ଚିମବଙ୍ଗ ଓ ମଧ୍ୟପ୍ରଦେଶରେ ମୃତକଙ୍କ ହାର ଅଧିକ ବୋଲି ଏହି ରିପୋର୍ଟରେ କୁହାଯାଇଛି । ଦିଲ୍ଲୀରେ ଗୋଟିଏ ଦିନରେ ସର୍ବାଧିକ ୪୪୮ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏଠାରେ ସଂକ୍ରମିତଙ୍କ ସଂଖ୍ୟା ବଢି ୫୯୮୦ରେ ପହଞ୍ଚିଛି । ଦିଲ୍ଲୀ ସ୍ୱାସ୍ଥ୍ୟ ବିଭାଗର ସୂଚନା ମୁତାବକ ଗତ ୨୪ ଘଣ୍ଟା ମଧ୍ୟରେ ଆଉ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା କୁହାଯାଇଛି । ଦିଲ୍ଲୀରେ ଏପର୍ଯ୍ୟନ୍ତ ମୃତ୍ୟୁ ସଂଖ୍ୟା ୬୬କୁ ବୃଦ୍ଧି ପାଇଛି ।

Comments (0)
Add Comment