ୟୁକ୍ରେନର ୭୦ରୁ ଅଧିକ ସାମରିକ ବ୍ୟବସ୍ଥା ଧ୍ୱଂସ

କିଭ : ୟୁକ୍ରେନରେ ଋଷର ଆକ୍ରମଣ ବେଳକୁ ବେଳ ଆହୁରି ପ୍ରଚଣ୍ଡ ହେଲାଣି । ବିଭିନ୍ନ ସ୍ଥାନରେ ଆକାଶ ମାର୍ଗରୁ ଭୟଙ୍କର ବୋମା ଓ କ୍ଷେପଣାସ୍ତ୍ର ମାଡ ହେଉଛି । ୟୁକ୍ରେନର ୭୦ରୁ ଅଧିକ ସାମରିକ ବ୍ୟବସ୍ଥାକୁ ଋଷ୍‌ ବୋମା ପକାଇ ଉଡ଼ାଇ ଦେଇଥିବା ଦାବି କରିଛି । ସେଥିମଧ୍ୟରେ ୧୧ଟି ଏୟାରଫିଲ୍ଡ,୩ଟି କମାଣ୍ଡପୋଷ୍ଟ ଓ ୧୮ଟି ରାଡାର ଷ୍ଟେସନ ରହିଛି । ଏହାଛଡ଼ା ୟୁକ୍ରେନର ଆଉ ଗୋଟିଏ ସାମରିକ ହେଲିକପ୍ଟର ଓ ୪ଟି ଡ୍ରୋନକୁ ମଧ୍ୟ ନଷ୍ଟ କରିଥିବା କଥା ଋଷ୍‌ ଦାବି କରିଛି । ଅନ୍ୟପଟେ ୟୁକ୍ରେନର ପାଲଟା ଜବାବ ମଧ୍ୟ ଜାରି ରହିଛି । ଋଷର ପାଞ୍ଚଟି ଫାଇଟର୍‌ ବିମାନକୁ ୟୁକ୍ରେନ ଧ୍ୱଂସ କରିଥିବା ସୂଚନା ମିଳିଛି । ସେହିପରି ନାଟୋ ମଧ୍ୟ ଋଷ ଉପରେ ଆକ୍ରମଣ କରିବା ନେଇ ଘୋଷଣା କରିଛି । ଗୁରୁବାର ସକାଳେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ ୟୁକ୍ରେନ ଉପରେ ଯୁଦ୍ଧ ଘୋଷଣା କରିଥିଲେ । ପୁଟିନ ଖୋଲାଖୋଲି ଭାବେ ୟୁକ୍ରେନ ବିରୋଧରେ ସାମାରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ରୁଷ ସୈନ୍ୟମାନେ ୟୁକ୍ରେନ ଭିତରେ ପଶି ଆକ୍ରମଣ କରିଛନ୍ତି । ଦୀର୍ଘ ଦିନ ହେବ ରୁଷ ପକ୍ଷରୁ ସୀମାରେ ଯୁଦ୍ଧାଭ୍ୟାସ କରାଯାଉଥିଲା । ଏଥିସହ ୟୁକ୍ରେନକୁ ରୁଷ ପଟୁ ଘେରାବନ୍ଦୀ କରିଥିଲା । ଏସବୁ ଭିତରେ ପୁଟିନ ମିଲାଟାରୀ ଅପରେସନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । କ୍ରିମିୟା ଓ ବେଲାଋଷ ମଧ୍ୟ ୟୁକ୍ରେନ ଉପରେ ଆକ୍ରମଣ କରିଥିବା ସୂଚନା ମିଳିଛି । ଏଥିସହ ସେ ୟୁକ୍ରେନକୁ ଅସ୍ତ୍ର ଛାଡ଼ି ଆତ୍ମସମର୍ପଣ କରିବାକୁ ମଧ୍ୟ ପରାମର୍ଶ ଦେଇଛନ୍ତି ।

Comments (0)
Add Comment