କିଭ୍ : ୟୁକ୍ରେନ ରାଷ୍ଟ୍ରପତି ଭୋଲଦିମିର ଜେଲେନସ୍କିଙ୍କୁ ପୁଣିଥରେ ହତ୍ୟା କରିବାକୁ ଉଦ୍ୟମ ହୋଇଛି । ତେବେ ହତ୍ୟା ଉଦ୍ୟମ ଫେଲ ମାରିଛି । ରୁଷର ସ୍ପେଶାଲ ସର୍ଭିସ ପକ୍ଷରୁ ଜେଲେନସ୍କିଙ୍କୁ ହତ୍ୟା ପାଇଁ ଷଡଯନ୍ତ୍ର କରାଯାଇଥିବା ଆଜି ୟୁକ୍ରେନ ସରକାର କହିଛନ୍ତି । ରୁଷିଆନ ସ୍ପେଶାଲ ଫୋର୍ସ ନେତୃତ୍ୱରେ ୨୫ ଜଣିଆ ଗ୍ରୁପ୍ ରାଷ୍ଟ୍ରପତି ଜେଲେନସ୍କିଙ୍କୁ ହତ୍ୟା କରିବାକୁ ଷଡଯନ୍ତ୍ର କରିଥିଲେ । କିନ୍ତୁ ସେମାନେ ଯୋଜନାକୁ କାର୍ଯ୍ୟକାରୀ କରିବା ପୂର୍ବରୁ ଧରାପଡି ଯାଇଛନ୍ତି । ସମସ୍ତଙ୍କୁ ୟୁକ୍ରେନ ଅଧିକାରୀମାନେ ସ୍ଲୋଭାକିଆ-ହଙ୍ଗେରୀ ସୀମାନ୍ତରେ କାବୁ କରିଛନ୍ତି । ସେମାନେ ଜେଲେନସ୍କିଙ୍କୁ ହତ୍ୟା କରିବା ପାଇଁ ସ୍ୱତନ୍ତ୍ର ତାଲିମ ପାଇଥିବା ମଧ୍ୟ ରିପୋର୍ଟରେ କୁହାଯାଇଛି । ରୁଷ ଫେବୃଆରୀ ୨୪ରୁ ୟୁକ୍ରେନ ଉପରେ ହମଲା କରି ଚାଲିଛି । ରୁଷର ୧ନଂ ଶତ୍ରୁ ଜେଲେନସ୍କି ବୋଲି ୟୁକ୍ରେନ ସେବେଠାରୁ କହି ଆସୁଛି । ରୁଷର ଆକ୍ରମଣ ପରଠାରୁ ଜେଲେନସ୍କିଙ୍କୁ ହତ୍ୟା କରିବା ପାଇଁ ବାରମ୍ବାର ଉଦ୍ୟମ ହୋଇ ଆସୁଛି । ତେବେ ୟୁକ୍ରେନ ସୁରକ୍ଷାକର୍ମୀ ଏହାକୁ ପଣ୍ଡ କରି ଚାଲିଛନ୍ତି । ଏହାପୂର୍ବରୁ ମାର୍ଚ୍ଚ ୪ ତାରିଖରେ ଟାଇମ୍ସ ଅଫ ଲଣ୍ଡନରେ ସମସ୍ତଙ୍କୁ ଚକିତ କରିବା ଭଳି ଖବର ପ୍ରକାଶ ପାଇଥିଲା । ମାତ୍ର ୭ ଦିନ ମଧ୍ୟରେ ଜେଲେନସ୍କିଙ୍କୁ ହତ୍ୟା ପାଇଁ ୩ ଥର ଉଦ୍ୟମ ହୋଇଥିଲା । ହେଲେ ଏଥିରେ ବିଦ୍ରୋହୀ ଗୋଷ୍ଠୀଙ୍କୁ ସଫଳତା ମିଳି ନଥିବା ଏହି ରିପୋର୍ଟରେ ଦାବି କରାଯାଇଥିଲା ।