ରାଷ୍ଟ୍ରପତି ନିର୍ବାଚନ: ବିରୋଧୀଙ୍କ ପ୍ରାର୍ଥୀ ହେବେ ଯଶୱନ୍ତ ସିହ୍ନା, ୨୭ରେ କରିପାରନ୍ତି ପ୍ରାର୍ଥୀପତ୍ର ଦାଖଲ

ନୂଆଦିଲ୍ଲୀ: ରାଷ୍ଟ୍ରପତି ପ୍ରାର୍ଥୀ ଚୟନ ପାଇଁ ମଙ୍ଗଳବାର ଅନୁଷ୍ଠିତ ବୈଠକରେ ବିରୋଧୀ ଦଳ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି । ସୂଚନାନୁସାରେ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ଯଶବନ୍ତ ସିହ୍ନାଙ୍କୁ ବିରୋଧୀ ଦଳରୁ ରାଷ୍ଟ୍ରପତି ପ୍ରାର୍ଥୀ କରିବାକୁ ସର୍ବସମ୍ମତି କ୍ରମେ ନିଷ୍ପତ୍ତି ନିଆଯାଇଛି । ସୂଚନା ମିଳିଛି ଯେ ଯଶବନ୍ତ ସିହ୍ନା ଜୁନ୍‌ ୨୭ରେ ତାଙ୍କ ନାମାଙ୍କନପତ୍ର ଦାଖଲ କରିବେ ।
ଏହା ପୂର୍ବରୁ ତୃଣମୂଳ କଂଗ୍ରେସ ମୁଖ୍ୟ ମମତା ବାନାର୍ଜୀଙ୍କ ଏନସିପି ମୁଖ୍ୟ ଶରଦ ପାୱାରଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ ହେବାକୁ ପ୍ରସ୍ତାବ ଦେଇଥିଲେ । କିନ୍ତୁ ପାୱାର ଏହି ଦାବିକୁ ଗ୍ରହଣ କରିବାକୁ ମନା କରିଦେଇଥିଲେ । ସକ୍ରିୟ ରାଜନୀତିରେ ରହିବାକୁ ଚାହୁଁଥିବାରୁ ସେ ଏଭଳି ନିଷ୍ପତ୍ତି ନେଇଥିଲେ । ଏହା ବ୍ୟତୀତ ଗୋପାଳ କୃଷ୍ଣ ଗାନ୍ଧୀଙ୍କ ନାଁ ମଧ୍ୟ ଚର୍ଚ୍ଚାକୁ ଆସିଥିଲା । ହେଲେ ଏବେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଯଶବନ୍ତ ସିହ୍ନାଙ୍କୁ ପ୍ରାର୍ଥୀ କରିବାକୁ ନିଷ୍ପତ୍ତି ନିଆଯାଇଥିବା ଜଣାପଡିଛି ।
ଏନସିପି ନେତା ଶରଦ ପାୱାରଙ୍କ ଅଧ୍ୟକ୍ଷତାରେ ବିରୋଧୀ ଦଳର ଏକ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଏହି ସଭାରେ ଯଶବନ୍ତ ସିହ୍ନା ମଧ୍ୟ ଉପସ୍ଥିତ ଥିଲେ । ଏହାପୂର୍ବରୁ ବିରୋଧୀ ଦଳ ତିନି ଜଣଙ୍କୁ ପ୍ରାର୍ଥୀ କରିବାକୁ ପ୍ରସ୍ତାବ ଦେଇଥିଲେ ବି ସେମାନେ ମନା କରିଦେଇଥିଲେ । ଏଥିରେ ଶରଦ ପାୱାର, ଫାରୁକ୍‌ ଅବଦୁଲ୍ଲା ଏବଂ ଗୋପାଳକୃଷ୍ଣ ଗାନ୍ଧୀଙ୍କ ନାମ ଅନ୍ତର୍ଭୁକ୍ତ ଥିଲା । ଶେଷରେ ବିରୋଧୀ ଦଳ ଯଶବନ୍ତ ସିହ୍ନାଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ କରିବାକୁ ନିଷ୍ପତ୍ତି ନେଇଛି ।

Comments (0)
Add Comment