ଧର୍ମେନ୍ଦ୍ରଙ୍କ ଟୁଇଟ୍‌କୁ ପ୍ରଣବଙ୍କ ଜବାବ : ଅହିଂସାରେ ବିଶ୍ୱାସ କରେ ବିଜେଡି

ଭୁବନେଶ୍ୱର: ବିଜେଡି ସବୁ ବେଳେ ଅହିଂସାରେ ବିଶ୍ୱାସ କରେ ଏବଂ ଶାନ୍ତିପୂର୍ଣ୍ଣ ନିର୍ବାଚନ ଦ୍ୱାରା ହିଁ ଗଣତନ୍ତ୍ରକୁ ସୁଦୃଢ କରାଯାଇ ପାରିବ ବୋଲି କହିଛନ୍ତି ବିଜେଡି ବିଧାୟକ ତଥା ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ।
ନିର୍ବାଚନୀ ହିଂସାକୁ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଟୁଇଟର ଜବାବ ଦେଇ ଶ୍ରୀ ଦାସ କହିଛନ୍ତି ଯେ ଦୁଃଖର କଥା ହେଉଛି ଓଡିଶାର ପ୍ରମୁଖ ବିରୋଧୀ ଦଳ ବିଜେପି ଚଳିତ ପଂଚାୟତ ନିର୍ବାଚନରେ ହାରିବା ଭୟରେ ନିର୍ବାଚନୀ ହିଂସା କରୁଛି । ବିଜେପି ବିଧାୟକ ଜୟନାରାୟଣ ମିଶ୍ର ସରକାରୀ କର୍ମଚାରୀଙ୍କୁ ଧମକାଉଛନ୍ତି । ବିଜେପି ନେତା ଓ କର୍ମୀମାନେ ଗଜପତି ଓ ପିପିଲିରେ ବିଜେଡି ଜ଼ିଲ୍ଲା ପରିଷଦ ପ୍ରାର୍ଥୀଙ୍କୁ ଆକ୍ରମଣ କରି ରକ୍ତାକ୍ତ କରିଛନ୍ତି । କୋରାପୁଟ, ସାଲେପୁର, ବ୍ରହ୍ମଗିରି, କଣାସ, ଢେଙ୍କାନାଳ ଏବଂ ଆହୁରି ଅନେକ ଜିଲ୍ଲାମାନଙ୍କରେ ବିଜେପି ନିର୍ବାଚନୀ ହିଂସା କରିଛି ।
ଏହା ପୂର୍ବରୁ ବିଜେପି ସାଂସଦ ଜୁଏଲ ଓରାମ ଜଣେ ମହିଳାଙ୍କ ସହ ଅସଦାଚରଣ କରିବା ଓ କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ ସରକାରୀ କର୍ମଚାରୀଙ୍କ ଉପରେ ଆକ୍ରମଣ କରି ତାଙ୍କ ହାତ ଭାଙ୍ଗି ଦେବା ଭଳି ଘଟଣା ବିଜେପିର ହିଂସା ପ୍ରବଣତାକୁ ଦର୍ଶାଇ ଥିଲା । ବିଜେଡି ଆଶା କରୁଛି ଯେ ବିଜେପି ହିଂସାରୁ ନିବୃତ ରହି ଏହି ଗଣତନ୍ତ୍ରର ପର୍ବକୁ ଅହିଂସା ଦ୍ୱାରା ସୁଦୃଢ କରିବ ବୋଲି ଶ୍ରୀ ଦାସ କହିଛନ୍ତି ।
ଉଲ୍ଲେଖଯୋଗ୍ୟ ଯେ, ରାଜ୍ୟର ବିଭିନ୍ନ ସ୍ଥାନରେ ପଞ୍ଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ସମୟରେ ଶାସକ ଦଳର ହିଂସା ଓ ଅରାଜକତାକୁ ଦୃଢ଼ ଭାବେ ନିନ୍ଦା କରିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଶ୍ରୀ ପ୍ରଧାନ ଟ୍ୱିଟ୍ କରିଛନ୍ତି ଯେ ରାଜ୍ୟରେ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ଶେଷ ହୋଇଛି । ତୃଣମୂଳ ସ୍ତରରେ ଭୋଟ୍ ଦେବା ପାଇଁ ଗ୍ରାମବାସୀଙ୍କ ମଧ୍ୟରେ ଅଭୂତପୂର୍ବ ଉତ୍ସାହ ଦେଖାଯାଇଛି । ଏହା ଆମର ଗଣତନ୍ତ୍ର ପାଇଁ ଏକ ଶୁଭ ସଙ୍କେତ । କିନ୍ତୁ ଆଜି ଧର୍ମଶାଳା, ଯାଜପୁର, ବ୍ରହ୍ମଗିରି, ଅନୁଗୋଳ, ହିନ୍ଦୋଳ, ଭଦ୍ରକ, କଣାସ, ଜଳେଶ୍ୱର, ବାଙ୍ଗିରିପୋଷୀ, ଭଟଲି ଓ ପାଟଣାଗଡ଼ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ନିର୍ବାଚନୀ ହିଂସା ଘଟିଥିବା ଗଣମାଧ୍ୟମରେ ପ୍ରକାଶ ପାଇଛି । ଏହା ପୂର୍ବରୁ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରାକ୍ ନିର୍ବାଚନୀ ହିଂସା ମଧ୍ୟ ଘଟିଛି । ଏହା ଚିନ୍ତାଜନକ ଓ ଦୁଃଖଦାୟକ ।
ହିଂସା ଦ୍ୱାରା ଗଣତନ୍ତ୍ରର ଏହି ମହାନ ପର୍ବରେ ବ୍ୟାଘାତ ଆସିବା ଅନୁଚିତ । ଶାସକ ଦଳର ହିଂସା ଓ ଅରାଜକତାକୁ ମୁଁ ଦୃଢ଼ ଭାବେ ନିନ୍ଦା କରୁଛି । ଓଡ଼ିଶା ପ୍ରଶାସନ ଠିକ୍ ଭାବରେ ନିଜର କାର୍ଯ୍ୟ କରିବା ସହ ଲୋକମାନଙ୍କୁ ନ୍ୟାୟ ପ୍ରଦାନ କରନ୍ତୁ । ରାଜ୍ୟରେ ପଞ୍ଚାୟତ ସ୍ତରରେ ଆହୁରି ୪ଟି ପର୍ଯ୍ୟାୟରେ ମତଦାନ ହେବାକୁ ଯାଉଛି । ତେଣୁ ରାଜ୍ୟ ନିର୍ବାଚନ ଆୟୋଗ ନିର୍ବାଚନୀ ହିଂସାରେ ସମ୍ପୃକ୍ତ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ଏବଂ ଆଗାମୀ ପର୍ଯ୍ୟାୟରେ ମତଦାନ କିଭଳି ଶାନ୍ତିପୂର୍ଣ୍ଣ ହେବ ସେ ଦିଗରେ ଧ୍ୟାନ ଦେବେ ବୋଲି ମୁଁ ଆଶା କରୁଛି ବୋଲି କେନ୍ଦ୍ରମନ୍ତ୍ରୀ ଟ୍ୱିଟ୍ କରି କହିଥିଲେ ।

Comments (0)
Add Comment