କଟକ: ସିଲିଭର ସିଟି କଟକରେ ମେୟର ପଦ ପାଇଁ ବିଜେଡି, କଂଗ୍ରେସ ଓ ବିଜେପି ପ୍ରାର୍ଥୀଙ୍କ ମଧ୍ୟରେ ଶାସକ ବିଜେଡି ପକ୍ଷରୁ ମଇଦାନକୁ ଓହ୍ଲାଇଥିବା କଟକର ଶ୍ରମିକ ନେତା ତଥା ରାଜ୍ୟସଭା ସାଂସଦ ସୁବାସ ସିଂ ସବୁଠୁ ଧନୀ । ସମ୍ପତ୍ତି ତାଲିକାରେ କଂଗ୍ରେସର ଗିରିବାଳା ବେହେରା ଓ ବିଜେପିର ଶ୍ରୀତମ ଦାସଙ୍କୁ ସେ ପଛରେ ପକାଇ ଦେଇଛନ୍ତି।
ନାମାଙ୍କନ ଦାଖଲ ବେଳେ କରିଥିବା ସତ୍ୟପାଠ ଅନୁସାରେ ସୁବାସ ସିଂଙ୍କ ସମ୍ପତ୍ତି ପରିମାଣ ୫ କୋଟିରୁ ଅଧିକ । ସୁବାସଙ୍କ ନାଁରେ ୭୬ ଲକ୍ଷ, ୭୬ ହଜାର ୬୮୯ ଟଙ୍କାର ବ୍ୟାଙ୍କ ଡିପୋଜିଟ, ବୀମା ଓ ନିବେଶ ଆଦି ରହିଛି । ସେହିଭଳି ତାଙ୍କ ପତ୍ନୀଙ୍କ ନାଁରେ ୪ କୋଟି ୫୮ ଲକ୍ଷ ୫୪ ହଜାର ୫୯୯ ଟଙ୍କାର ବ୍ୟାଙ୍କ ଡିପୋଜିଟ, ବୀମା ଓ ନିବେଶ ରହିଛି । ସୁବାସଙ୍କ ପାଖରେ ଥିବା ଜମିର ମୂଲ୍ୟ ୭୭ ଲକ୍ଷ, ୧୯ ହଜାର ୯୬ ଟଙ୍କା ବୋଲି ଦର୍ଶାଯାଇଛି । ତାଙ୍କ ନାଁରେ ପ୍ରାୟ ୬ ଲକ୍ଷ ଟଙ୍କାର ବ୍ୟାଙ୍କ ଲୋନ ରହିଛି ।
ସେହିଭଳି କଂଗ୍ରେସ ମେୟର ପ୍ରାର୍ଥୀ ଗିରିବାଳା ବେହେରାଙ୍କ ନିକଟରେ ୨୦ ଲକ୍ଷ ୫୦ ହଜାର ଟଙ୍କା, ବୀମା ଓ ନିବେଶ ରହିଛି । ତାଙ୍କ ନିକଟରେ ୭୫ ଲକ୍ଷ ଟଙ୍କା ମୂଲ୍ୟର ଜମି ରହିଛି । ତାଙ୍କ ସ୍ୱାମୀଙ୍କର ମଧ୍ୟ ୯୫ ଲକ୍ଷ ଟଙ୍କା ମୂଲ୍ୟର ଜମି ରହିଛି ।
ସେପଟେ ବିଜେପି ଟିକେଟରୁ ନିର୍ବାଚନ ମଇଦାନକୁ ଓହ୍ଲାଇଥିବା ଶ୍ରୀତମ ଦାସଙ୍କର ୩୩ ଲକ୍ଷ ୬୬ ହଜାର ଓ ତାଙ୍କ ପତ୍ନୀଙ୍କ ନାଁରେ ୧୩ ଲକ୍ଷ ୬୮ ହଜାର ଟଙ୍କା, ନିବେଶ ଓ ବୀମା ଆଦି ରହିଛି । ଶ୍ରୀତମଙ୍କ ନିକଟରେ ୪୧ ଲକ୍ଷ ୯୦ ହଜାର ଟଙ୍କାର ଘରବା଼ଡ଼ି ଓ ତାଙ୍କ ପତ୍ନୀଙ୍କ ନାଁରେ ୪ ଲକ୍ଷ ୮୫ ହଜାର ଟଙ୍କାର ଘରବାଡ଼ି ରହିଛି । ଶ୍ରୀତମ ୪୪ ଲକ୍ଷ ୫୦ ହଜାର ଟଙ୍କାର ବ୍ୟାଙ୍କ ଲୋନ୍ ରହିଥିବା ସତ୍ୟପାଠରେ ଦର୍ଶାଇଛନ୍ତି ।