ପୌର ଅଧ୍ୟକ୍ଷ ହେବାକୁ ବେଣୁ ମଉସାଙ୍କ ଇଚ୍ଛା, ଲଢିବେ ନିର୍ବାଚନ

ବାଲେଶ୍ୱର: ଗତ ବର୍ଷ ବାଲେଶ୍ୱର ବିଧାନସଭା ଆସନ ଉପ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରି ସାରା ରାଜ୍ୟରେ ଚର୍ଚ୍ଚାରେ ରହିଥିଲେ ବସ୍ତି ବାସିନ୍ଦା ନେତା ବେଣୁଧର ବାରିକ ଓରଫ ବେଣୁ ମଉସା। ନିର୍ବାଚନରେ ପରାଜିତ ହୋଇଥିଲେ ବି ଜନସେବା ପାଇଁ ତାଙ୍କ ମନରୁ ଉତ୍ସାହ ମଉଳିଯାଇ ନାହିଁ। ଅର୍ଥ ନ ଥିଲେ ବି ଆଗାମୀ ପୌର ନିର୍ବାଚନରେ ସେ ଭାଗ ନେବେ ବୋଲି କହିଛନ୍ତି। ପ୍ରତ୍ୟକ୍ଷ ନିର୍ବାଚନ ହେଲେ ବାଲେଶ୍ୱର ପୌରପାଳିକାର ଅଧ୍ୟକ୍ଷ ପଦ ପାଇଁ ଲଢ଼ିବେ। ମାତ୍ର ପ୍ରତ୍ୟକ୍ଷ ନିର୍ବାଚନ ବ୍ୟବସ୍ଥା ନ ହେଲେ ସେ କେଉଁ ୱାର୍ଡର କାଉନସିଲର ପଦ ପାଇଁ ଲଢ଼ିବେ। ଆଉ ବିଜୟୀ ହେଲେ ପୌରାଧ୍ୟକ୍ଷ ପଦ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରିବେ ବୋଲି ସୂଚନା ଦେଇଛନ୍ତି।
ବାଲେଶ୍ୱର ପୌରପାଳିକାର ୨୧ ନଂ ୱାର୍ଡ଼ ଗୁଡ଼ିପଦାର ବାସିନ୍ଦା ବେଣୁ ମଉସା ପିଲାଟି ଦିନରୁ ବାମପନ୍ଥୀ ତଥା ସାମ୍ୟବାଦୀ ଚିନ୍ତାଧାରାକୁ ସେ ଗ୍ରହଣ କରିଆସିଛନ୍ତି। ସଦର ବାଲେଶ୍ୱର ବିଧାନସଭା ଆସନ ଉପ ନିର୍ବାଚନରେ ତାଙ୍କ ଦଳ ସିପିଆଇ ପକ୍ଷରୁ ପ୍ରାର୍ଥୀ କରା ନ ଯିବା ତାଙ୍କୁ ମର୍ମାହତ କରିଥିଲା। ଶେଷରେ ଦଳୀୟ ଅନୁଶାସନ ପ୍ରତିବାଦରେ ସେ ବାଧ୍ୟ ହୋଇ ସ୍ୱାଧୀନ ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦ୍ୱିତା ପାଇଁ ନିଷ୍ପତ୍ତି ନେଇଥିଲେ। ନିର୍ବାଚନ ପ୍ରଚାର ବେଳେ ବ୍ୟକ୍ତିଗତ ସାଙ୍ଗକୁ ଆନୁଷ୍ଠାନିକ ଭାବେ ତାଙ୍କୁ ବିଭିନ୍ନ ମହଲରୁ ସହଯୋଗ ମିଳିଥିଲା। ମାତ୍ର ତାଙ୍କ ସପକ୍ଷରେ ମତଦାନ ହାର ବୃଦ୍ଧି ପାଇ ନ ଥିଲା।

Comments (0)
Add Comment