ଉତ୍ତରପ୍ରଦେଶ: ବିଜେପିରେ ସାମିଲ ହେଲେ ଅଖିଳେଶଙ୍କ ଭାଇ ବୋହୂ ଅପର୍ଣ୍ଣା ଯାଦବ । ବିଧାନସଭା ନିର୍ବାଚନକୁ ନେଇ ଉତ୍ତରପ୍ରଦେଶ ରାଜନୀତି ଚର୍ଚ୍ଚାରେ ଥିବାବେଳେ ଅଖିଳେଶଙ୍କୁ ବଡ ଝଟକା ଦେଇଛନ୍ତି ଭାଇ ବୋହୂ ଅପର୍ଣ୍ଣା ଯାଦବ । ମୁଲାୟମ ଯାଦବଙ୍କ ସାନ ବୋହୂ ଅପର୍ଣ୍ଣା ଆଜି ସାଇକେଲକୁ ଛାଡି ବିଧିବଦ୍ଧ ଭାବେ ବିଜେପିରେ ସାମିଲ ହୋଇଛନ୍ତି । ଉତ୍ତରପ୍ରଦେଶ ଉପ-ମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ଓ ରାଜ୍ୟ ବିଜେପି ଅଧ୍ୟକ୍ଷ ସ୍ୱତନ୍ତ୍ର ଦେବ ସିଂଙ୍କ ଉପସ୍ଥିତିରେ ବିଜେପିରେ ସାମିଲ ହୋଇଛନ୍ତି ଅପର୍ଣ୍ଣା । ଆଉ ଏହାକୁ ଚଳିତ ଉତ୍ତରପ୍ରଦେଶ ରାଜନୀତିରେ ସବୁଠୁ ବଡ ଦଳ ଅଦଳବଦଳ ବୋଲି କୁହାଯାଉଛି ।
ଅପର୍ଣ୍ଣା ଯାଦବ ୨୦୧୭ରେ ସମାଜବାଦୀ ଟିକେଟରୁ ନିର୍ବାଚନ ଲଢି ପରାଜିତ ହୋଇଥିଲେ । ବିଜେପି ପ୍ରାର୍ଥୀଙ୍କ ଠାରୁ ଅପର୍ଣ୍ଣା ପରାଜିତ ହୋଇଥିଲେ ମଧ୍ୟ ପ୍ରାୟ ୬୩ ହଜାରରୁ ଅଧିକ ଭୋଟ ହାତେଇଥିଲେ । ତେଣୁ ଅପର୍ଣ୍ଣା ସେହି ଭୋଟବ୍ୟାଙ୍କ ବଳରେ ବିଜେପିରେ ସାମିଲ ହୋଇ ବିଜୟ ବାନା ଉଡାଇବାକୁ ଲକ୍ଷ୍ୟ ରଖିଥିବା ଚର୍ଚ୍ଚା ହେଉଛି । ମୁଲାୟମଙ୍କ ଦ୍ୱିତୀୟ ପତ୍ନୀ ସାଧନା ଗୁପ୍ତାଙ୍କ ପୁଅ ପ୍ରତୀକ ଯାଦବଙ୍କ ପତ୍ନୀ ହେଉଛନ୍ତି ଅପର୍ଣ୍ଣା । ତେଣୁ ପରିବାରରୁ କେହି ପ୍ରତିଦ୍ୱନ୍ଦ୍ୱୀ ଦଳକୁ ଯିବା ସମାଜବାଦୀ ଦଳ ପାଇଁ ଅଡୁଆ ବଢାଇପାରେ ବୋଲି କୁହାଯାଉଛି ।