ରାଜ୍ୟସ୍ତରୀୟ ସ୍ବାଧୀନତା ଦିବସ ଉତ୍ସବ ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କର ବୈଠକ


୫ ଅଗଷ୍ଟ ୨୦୨୪

ଭୁବନେଶ୍ୱର : ଚଳିତ ବର୍ଷ ରାଜ୍ୟସ୍ତରୀୟ ସ୍ବାଧୀନତା ଦିବସ କାର୍ଯ୍ୟକ୍ରମକୁ ନେଇ ରାଜ୍ୟ ଗୃହ ବିଭାଗ ଏବଂ ସୂଚନା ଓ ଲୋକସମ୍ପର୍କ ବିଭାଗ ସହିତ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏକ ବୈଠକ କରିଛନ୍ତି I ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ଏବର୍ଷ ରାଜ୍ୟସ୍ତରୀୟ ସ୍ବାଧୀନତା ଦିବସ ଉତ୍ସବ ମହାତ୍ମା ଗାନ୍ଧୀ ମାର୍ଗରେ ପାଳିତ ହେବ I ବୈଠକର ଆଲୋଚନାରୁ ଜଣାଯାଇଛି ଯେ ଚଳିତ ବର୍ଷ ପରେଡରେ ସ୍କୁଲ-କଲେଜ ଓ ପୋଲିସ ବାହିନୀର କଣ୍ଟିଜେଣ୍ଟକୁ ମିଶାଇ ପ୍ରାୟ ୪୦ଟି କଣ୍ଟିଜେଣ୍ଟ ଅଂଶଗ୍ରହଣ କରିବେ । ମୁଖ୍ୟମନ୍ତ୍ରୀ ସକାଳ ୯ଟା ସମୟରେ ପତାକା ଉତ୍ତୋଳନ କରି ଜନସାଧାରଣଙ୍କୁ ଉଦ୍‌ବୋଧନ ଦେବେ। ଏହାପରେ ସମ୍ମିଳିତ ପରେଡରେ ଅଭିବାଦନ ଗ୍ରହଣ କରିବେ। ଏହି ଅବସରରେ ଜିଲ୍ଲାସ୍ତରର ସ୍ବାଧୀନତା ଦିବସ ପାଳନ କାର୍ଯ୍ୟକ୍ରମ ପାଇଁ ଅଧିକ ଅର୍ଥର ବରାଦ କରିବାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ନିର୍ଦ୍ଦେଶ ଦେଇଥିଲେ । ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସ୍ବାଧୀନତା ଦିବସ ଆମର ଏକ ଜାତୀୟ କାର୍ଯ୍ୟକ୍ରମ। ସାରା ଦେଶବାସୀଙ୍କ ପାଇଁ ଖୁସି ଓ ଉତ୍ସବର ଦିବସ। ତେଣୁ ଏହାକୁ ମହାସମାରୋହରେ ପାଳନ କରିବା ପାଇଁ ସେ ପରାମର୍ଶ ଦେଇଥିଲେ । ବୈଠକରେ ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ଦେଓରଞ୍ଜନ କୁମାର ସିଂହ, ସୂଚନା ଓ ଲୋକସଂପର୍କ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ସଞ୍ଜୟ ସିଂହ, ଗୃହ ବିଭାଗର ସ୍ବତନ୍ତ୍ର ସଚିବ ଶ୍ରୀମତୀ ସନ୍ତୋଷ ବାଲା ଓ କଟକ-ଭୁବନେଶ୍ବରର ପୋଲିସ କମିଶନର ଶ୍ରୀ ସଂଜୀବ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।

Comments (0)
Add Comment