ମିଥ୍ୟା ସତ୍ୟପାଠ ପଡ଼ିଲା ମହଙ୍ଗା

ବାଲିଗୁଡ଼ା : ମିଥ୍ୟା ସତ୍ୟପାଠ ଦାଖଲ କରିବା ପଡ଼ିଲା ମହଙ୍ଗା। କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ୍ ଗୁମିକିଆ ପଞ୍ଚାୟତ ସରପଞ୍ଚ ତ୍ରିନାଥ ପ୍ରଧାନଙ୍କୁ ଅଯୋଗ୍ୟ ଘୋଷଣା କଲେ କନ୍ଧମାଳ ଜିଲ୍ଲାପାଳ। ତ୍ରିନାଥ ପ୍ରଧାନଙ୍କ ୫ ସନ୍ତାନ ରହିଥିବା ବେଳେ ୨ ଗୋଟି ସନ୍ତାନ ଥିବା ସତ୍ୟପାଠରେ ଦର୍ଶାଇ ୨୦୨୨ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ସରପଞ୍ଚ ଭାବେ ପ୍ରାର୍ଥୀ ପତ୍ର ଦାଖଲ କରି ନିର୍ବାଚନରେ ବିଜୟ ହାସଲ କରିଥିଲେ ତ୍ରୀନାଥ । ହେଲେ ୨ ବର୍ଷ ୫ ମାସ ପରେ ପଦବୀ ହରାଇଛନ୍ତି ତ୍ରୀନାଥ। ସୂଚନା ପ୍ରକାରେ ୨୦୨୨ ପଞ୍ଚାୟତ ନିର୍ବାଚନରେ ତ୍ରିନାଥ ପ୍ରାର୍ଥୀ ପତ୍ର ଦାଖଲ ବେଳେ ମିଛ ସତ୍ୟ ପାଠ ଦେଇ ନିର୍ବାଚନରେ ବିଜୟୀ ହୋଇଥିବା ନେଇ ସୁରୁଲାଇ ଗ୍ରାମର ପିତର ପ୍ରଧାନ ଓ ପାରାଡ଼ାକିଆ ଗ୍ରାମର କଳାକାର ପ୍ରଧାନ ୨୦୨୩ ମସିହାରେ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ। ପିତର ଓ କଳାକର ଦୁହେଁ ଦାରିଙ୍ଗିବାଡ଼ି ସିଡିପିଓଙ୍କ ଠାରୁ ସୂଚନା ଅଧିକାର ଆଇନ୍ ବଳରେ ତ୍ରିନାଥଙ୍କ ୫ ଗୋଟି ସନ୍ତାନ ଥିବା ନେଇ ସୂଚନା ପାଇଥିଲେ। ତ୍ରିନାଥଙ୍କ ୧୯୯୪ରେ ପ୍ରଥମ ସନ୍ତାନ, ୧୯୯୮ରେ ଦ୍ୱିତୀୟ, ୨୦୦୨ରେ ତୃତୀୟ,୨୦୦୬ରେ ଚତୁର୍ଥ ଏବଂ ୨୦୦୯ରେ ପଞ୍ଚମ ସନ୍ତାନ ଜନ୍ମ ଗ୍ରହଣ କରିଥିବା ଜଣାପଡ଼ିଥିଲା । ଏନେଇ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ ଅଭିଯୋଗକାରୀ । ଜିଲ୍ଲାପାଳ ଏହାର ତଦନ୍ତ କରି ତ୍ରିନାଥଙ୍କ ସରପଞ୍ଚ ପଦବୀକୁ ଅସିଦ୍ଧ ଘୋଷଣା କରିଥିବା ଜଣାପଡ଼ିଛି ।

Comments (0)
Add Comment