ବିଧାନସଭା ନିର୍ବାଚନ ତାରିଖ ଘୋଷଣା ହେବା ପରଠାରୁ ୟୁପି ରାଜନୀତି ସରଗରମ ହେଉଛି । ରାଜ୍ୟରେ ଚାରି ପ୍ରମୁଖ ଦଳ ମଧ୍ୟରେ କଡା ଟକ୍କର ହେବ ବୋଲି ରାଜନୈତିକ ବିଶେଷଜ୍ଞମାନେ ମତ ପ୍ରକାଶ କରୁଛନ୍ତି । ମୁଖ୍ୟତ ଶାସକ ବିଜେପି ଓ ସମାଜବାଦୀ ପାର୍ଟି ମଧ୍ୟରେ କଣ୍ଟା କେ ଟକ୍କର ହେବ ବୋଲି କୁହାଯାଇଛି । ଏହି କ୍ରମରେ ଏହି ଚାରି ପ୍ରମୁଖ ଦଳ ମଧ୍ୟରେ ଦଳଡିଆଁ ରାଜନୀତି ଏବେ ଖୁବ୍ ଚର୍ଚ୍ଚାର ବିଷୟ ପାଲଟିଛି । କିଏ ବିଜେପି ଛାଡି ସପାରେ ମିଶିଲାଣି ତ କିଏ ସପା ଛାଡି କଂଗ୍ରେସରେ ସାମିଲ ହେଲାଣି । ଗତକାଲି ମୁଲାୟମ ସିଂ ଯାଦବଙ୍କ ବୋହୂ ଅପୂର୍ଣ୍ଣା ସପା ଛାଡି ପଦ୍ମ ଧରିଥିବା ବେଳେ ଆଜି ଅଖିଲେଶଙ୍କ ମଉସା ପ୍ରମୋଦ ଗୁପ୍ତା ବିଜେପିରେ ସାମିଲ ହୋଇଛନ୍ତି । ସେହିପରି ପ୍ରିୟଙ୍କା ଗାନ୍ଧୀଙ୍କ ପୋଷ୍ଟର ଗାର୍ଲ ପ୍ରିୟଙ୍କା ମୌର୍ଯ୍ୟଙ୍କ ସମେତ ବହୁ ନେତା ଆଜି ବିଜେପିରେ ସାମିଲ ହୋଇଛନ୍ତି ।
ସୂଚନାଯୋଗ୍ୟ ଯେ ମୁଲାୟମ ସିଂ ଯାଦବଙ୍କ ଘନିଷ୍ଠ ବନ୍ଧୁ ହରିୟମ ଯାଦବ ମଧ୍ୟ ବିଜେପିରେ ଯୋଗ ଦେଇଛନ୍ତି । ଏଥି ସହିତ ଗତକାଲି ମୁଲାୟମ ସିଂଙ୍କ ବୋହୂ ମଧ୍ୟ ବିଜେପିରେ ଯୋଗ ଦେଇଥିଲେ । କେଶବ ପ୍ରସାଦ ମୌର୍ଯ୍ୟ ଏବଂ ୟୁପି ବିଜେପି ସଭାପତି ତାଙ୍କୁ ଦଳର ସଦସ୍ୟତା ଦେଇଥିଲେ ।