ବଣାଇ ବିଧାୟକଙ୍କୁ ରାଜ୍ୟ ସ୍ତରୀୟ ନାଗରିକ ସମ୍ବର୍ଦ୍ଧନା

ଭୁବନେଶ୍ଵର : ଚତୁର୍ଥ ଥର ପାଇଁ ଓଡ଼ିଶା ବିଧାନସଭାକୁ ନିର୍ବାଚିତ ହୋଇଥିବା ବଣାଇ ବିଧାନ ସଭା ନିର୍ବାଚନ ମଣ୍ଡଳୀର ଜନପ୍ରିୟ ଆଦିବାସୀ ବିଧାୟକ ଲକ୍ଷ୍ମଣ ମୁଣ୍ଡାଙ୍କୁ ଭୁବନେଶ୍ଵର ଜୟଦେବଭବନ ଠାରେ ରାଜ୍ୟ ସ୍ତରୀୟ ବିପୁଳ ନାଗରିକ ସମ୍ବର୍ଦ୍ଧନା ଦିଆଯାଇଛି। ଏହି ସଭାରେ ବର୍ଷୀୟାନ କମ୍ୟୁନିଷ୍ଟ ନେତା ସି ପି ଆଇ (ଏମ୍) ର ପୂର୍ବତ୍ତନ ପଲିଟିବ୍ୟୁରୋ ସଦସ୍ୟ କମ୍ରେଡ୍ ବିମାନ ବୋଷ ମୂଖ୍ୟ ଅତିଥି ଭବେ ଯୋଗ ଦେଇ ଲକ୍ଷ୍ମଣ ମୁଣ୍ଡାଙ୍କୁ ଫୁଲ ତୋଡା ଏବଂ ଉତ୍ତରୀୟ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ। ଏତଦ୍ ବ୍ୟତୀତ ରାଜ୍ୟର ବିଭିନ୍ନ ଜିଲ୍ଲାର ସି ପି ଆଇ(ଏମ) ର ଜିଲ୍ଲା କମିଟି, ଗଣ ଆନ୍ଦୋଳନ ଏବଂ ଶ୍ରମିକ, କୃଷକ, ଯୁବ, ଛାତ୍ର, ମହିଳା ଏବଂ କର୍ମଚାରୀ ଇତ୍ୟାଦି ବହୁ ସଂଗଠନ ଇତ୍ୟାିଦିର ରାଜ୍ୟ ଏବଂ ଜିଲ୍ଲା ନେତୃବୃନ୍ଦ ଫୁଲ ତୋଡା ଏବଂ ଉତ୍ତରୀୟ ପ୍ରଦାନ କରି ମୁଣ୍ଡାଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଏହି ଅବସରରେ ବର୍ଷୀୟାନ ବାମପନ୍ଥୀ ନେତା ବିମାନ ବୋଷଙ୍କୁ ସି ପି ଆଇ (ଏମ୍) ଓଡ଼ିଶା ରାଜ୍ୟ କମିଟି ତରଫରୁ ଫୁଲ ତୋଡା ଏବଂ ଉତ୍ତରୀୟ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଛି।

ନାଗରିକ ମଞ୍ଚ, ଓଡ଼ିଶା ତରଫରୁ ଆୟୋଜିତ ଏହି ସମ୍ୱର୍ଦ୍ଧନା ସଭାରେ ସି ପି ଆଇ (ଏମ୍) ରାଜ୍ୟ ସମ୍ପାଦକ ଅଳି କିଶୋର ପଟ୍ଟନାୟକ ସଭାପତିତ୍ଵ କରିଥିଲେ। ଏହି ସଭାରେ ବିମାନ ବୋଷ, ଲକ୍ଷ୍ମଣ ମୁଣ୍ଡା, ଜନାର୍ଦ୍ଦନ ପତି, ବିଷ୍ଣୁ ମହାନ୍ତି, ପ୍ରମୋଦ ସାମଲ ପ୍ରମୁଖ ବାମପନ୍ଥୀ ନେତୃବୃନ୍ଦ ବକ୍ତବ୍ୟ ରଖିଥିଲେ। ଲକ୍ଷ୍ମଣ ମୁଣ୍ଡା କହିଥିଲେ ଯେ ସାମ୍ପ୍ରତିକ ଏକ ବିଶେଷ ରାଜନୈତିକ ପରିସ୍ଥିତିରେ ବଣାଇ ଆସନରେ ଚତୁର୍ଥ ଥର ପାଇଁ ନିର୍ବାଚିତ ହେବା ଏକ ଉଲ୍ଲେଖନୀୟ ଘଟଣା। ଲୋକଙ୍କ ସହଯୋଗରେ ବଣାଇର ସାମଗ୍ରିକ ବିକାଶ ପାଇଁ କାର୍ଯ୍ୟ କରିବା ସହିତ ସମଗ୍ର ରାଜ୍ୟର ଶ୍ରମିକ, କୃଷକ ଏବଂ ସାଧାରଣ ଜନତାଙ୍କ ସ୍ବାର୍ଥ ସମ୍ବଳିତ ପ୍ରସଙ୍ଗ ଗୁଡ଼ିକୁ ବିଧାନସଭାରେ ଦୃଢ଼ ଭାବେ ଉପସ୍ଥାପିତ କରିବେ।
ପୋଲାଭରମ ସମସ୍ୟା ସମେତ ବିଧାନସଭା ବାହାରେ ହେଉଥିବା ଅନ୍ଦୋଳନ ଗୁଡିକରେ ସେ ସକ୍ରିୟ ଭବେ ଅଂଶ ଗ୍ରହଣ କରିବେ ବୋଲି ଘୋଷଣା କରିଥିଲେ। ଏହି ସମ୍ୱର୍ଦ୍ଧନା ସଭାରେ ରାଜ୍ୟର ବରିଷ୍ଠ ନେତୃବୃନ୍ଦ ସ୍ପଷ୍ଟ ଭାବେ କହିଥିଲେ ଯେ ବିଜେପି ଶାସନରେ ବେକାରୀ, ମୂଲ୍ୟବୃଦ୍ଧି, ଜୀବନ- ଜିବିକା ସମସ୍ୟାର ସମାଧାନ କରିବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛି।

ଲୋକଙ୍କ ବଞ୍ଚିବାର ପ୍ରସଙ୍ଗକୁ ଅଣଦେଖା କରିବା ପାଇଁ ଧର୍ମ- ଜାତି ଆଧାରରେ ଘୃଣା ପ୍ରଚାର କରାଯାଇ ଭାଇଚାରା, ଶାନ୍ତି ଏବଂ ସମ୍ପ୍ରିତି କୁ କ୍ଷତ- ବିକ୍ଷତ କରାଯାଉଛି। ଓଡିଶା ରାଜ୍ୟର ସାମାଜିକ ପରିସ୍ଥିତି ଆଘାତ ପ୍ରାପ୍ତ ହେଉଛି। ରାଜ୍ୟରେ ଶାନ୍ତି, ସଦଭାବନା ଏବଂ ଲୋକଙ୍କ ଅଧିକାର ପାଇଁ ସି ପି ଆଇ (ଏମ୍) ନିଜସ୍ଵ ଆନ୍ଦୋଳନ ଏବଂ ମିଳିତ ଆନ୍ଦୋଳନକୁ ଶକ୍ତିଶାଳୀ କରିବା ପାଇଁ ନେତୃବନ୍ଦ ଆହ୍ଵାନ ଦେଇଛନ୍ତି। ସୁରେଶ ପାଣିଗ୍ରାହୀଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ସଭାରେ ସନ୍ତୋଷ ଦାସ, ଦୁଷ୍ମନ୍ତ ଦାସ, ଶିଶିର ହୁଇ, ପୁଷ୍ପା ଦାଶ, ଜମେଶ୍ଵର୍ ସାମନ୍ତରାୟ, ବଦ୍ରି ନାରାୟଣ ଦାଶ ପ୍ରମୁଖ ନେତୃବୃନ୍ଦ ମଞ୍ଚାସୀନ ଥିଲେ। ସାରା ରାଜ୍ୟରୁ ୫୦୦ରୁ ଉର୍ଦ୍ଧ୍ବ ଲୋକ ଏହି ଭବ୍ୟ ସମ୍ବର୍ଦ୍ଧନା କାର୍ଯ୍ୟରେ ଅଂଶ ଗ୍ରହଣ କରିଥିଲେ।

Comments (0)
Add Comment