ବିଜେପି ଜାରି କଲା ନିର୍ବାଚନୀ ଇସ୍ତାହାର : ଚାଷୀଙ୍କୁ ଫ୍ରି ବିଜୁଳି, ହୋଲି-ଦିୱାଲୀରେ ମିଳିବ ମାଗଣା ସିଲିଣ୍ଡର

ନୂଆଦିଲ୍ଲୀ : ଭାରତୀୟ ଜନତା ପାର୍ଟି ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ୨୦୨୨ ପାଇଁ ‘ଲୋକ କଲ୍ୟାଣ ସଂକଳ୍ପ ପତ୍ର’ ନାମରେ ନିର୍ବାଚନୀ ଇସ୍ତାହାର ପ୍ରକାଶ କରିଛି । ମହିଳା, କୃଷକ ଏବଂ ଯୁବକମାନଙ୍କ ସମ୍ପର୍କରେ ବିଜେପିର ସଂକଳ୍ପ ପତ୍ରରେ ଅନେକ ବଡ଼ ପ୍ରତିଶୃତି ଦିଆଯାଇଛି । ମଙ୍ଗଳବାର ଗୃହମନ୍ତ୍ରୀ ଅମିତ ଶାହ ଏବଂ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଉପସ୍ଥିତିରେ ଏହା ପ୍ରକାଶ ପାଇଛି । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି ଯେ ୫ବର୍ଷ ପୂର୍ବେ ବିଜେପି ସରକାର ଦେଇଥିବା ପ୍ରତିଶ୍ରୁତି ପୂରଣ କରିଛି ଏବଂ ଆଗକୁ ଆହୁରି ପୂରଣ ହେବ । ସିଏମ୍‌ ଯୋଗୀ ଆଦିତ୍ୟନାଥ କହିଛନ୍ତି ଯେ ୟୁପିରେ ୫ ବର୍ଷ ମଧ୍ୟରେ ଦଙ୍ଗା ସମାପ୍ତ ହେବା ପରେ ଆଜି କର୍ଫ୍ୟୁ ନାହିିଁ । ପ୍ରତ୍ୟେକ ଝିଅ ନିର୍ଭୟରେ ବିଦ୍ୟାଳୟକୁ ଯାଆନ୍ତି, ଭଉଣୀମାନେ ବାହାରକୁ ଯିବାକୁ ଦ୍ୱିଧା କରନ୍ତି ନାହିଁ ।
ଭାରତୀୟ ଜନତା ପାର୍ଟି କହିଛି ଯେ ଯଦି ୟୁପିରେ ସରକାର ଗଠନ ହୁଏ ତେବେ ଆସନ୍ତା ୫ବର୍ଷରେ ଚାଷୀଙ୍କୁ ଜଳସେଚନ ପାଇଁ ମାଗଣାରେ ବିଦ୍ୟୁତ ଦିଆଯିବ । ମୁଖ୍ୟମନ୍ତ୍ରୀ କନ୍ୟା ସୁମଙ୍ଗଳ ଯୋଜନା ଅଧୀନରେ ଆର୍ଥିକ ସହାୟତା ୧୫ ହଜାରରୁ ୨୫ ହଜାରକୁ ବୃଦ୍ଧି ପାଇବ । ଉଜ୍ଜ୍ୱଳା ଯୋଜନା ଅନୁଯାୟୀ ହୋଲି ଏବଂ ଦୀୱାଲୀରେ ସମସ୍ତ ହିତାଧିକାରୀଙ୍କୁ ମାଗଣା ଏଲପିଜି ସିଲିଣ୍ଡର ଦିଆଯିବ । ୬୦ ବର୍ଷରୁ ଉଦ୍ଧ୍ୱର୍ ବୟସ୍କ ମହିଳାମାନଙ୍କ ପାଇଁ ପରିବହନ ଯାତ୍ରା ଦେୟମୁକ୍ତ କରାଯିବ । ଆଗାମୀ ୫ ବର୍ଷରେ ପ୍ରତ୍ୟେକ ପରିବାରକୁ ଅତି କମରେ ରୋଜଗାର କିମ୍ବା ଆତ୍ମନିର୍ଭରଶୀଳ ସୁଯୋଗ ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଛି ।
ରାଜ୍ୟର ସମସ୍ତ ବିଭାଗୀୟ ପଦବୀ ଶୀଘ୍ର ପୂରଣ କରାଯିବ ବୋଲି ପ୍ରତିଶୃତି ଦିଆଯାଇଛି । ସ୍ୱାମୀ ବିବେକାନନ୍ଦ ଯୁବା ସଶକ୍ତିକରଣ ଯୋଜନା ଅଧୀନରେ ୨ କୋଟି ଟାବଲେଟ୍‌ କିମ୍ବା ସ୍ମାର୍ଟଫୋନ୍‌ ବଣ୍ଟନ କରାଯିବ ବୋଲି ପ୍ରତିଶୃତି ଦିଆଯାଇଛି । ପ୍ରତ୍ୟେକ ଗ୍ରାମ ପଞ୍ଚାୟତରେ ଜିମ୍‌ ଏବଂ କ୍ରୀଡା ପଡିଆ ସ୍ଥାପନ କରିବାକୁ ପ୍ରତିଶୃତି ଦିଆଯାଇଛି । ଉତ୍ତରପ୍ରଦେଶର ଅର୍ଥନୀତିକୁ ପ୍ରଥମ ସ୍ଥାନକୁ ଆଣିବାକୁ ପ୍ରତିଜ୍ଞା କରି ପ୍ରତ୍ୟେକ ବ୍ୟକ୍ତିଙ୍କ ଆୟକୁ ଦ୍ୱିଗୁଣିତ କରିବାକୁ ପ୍ରତିଶ୍ରୁତି ଦିଆଯାଇଛି । ଯଦି ସରକାର ଗଠନ ହୁଏ ତେବେ ପାଞ୍ଚ ବର୍ଷ ମଧ୍ୟରେ ୧୦ ଲକ୍ଷ କୋଟି ଟଙ୍କାର ପୁଞ୍ଜି ବିନିଯୋଗ କରିବାକୁ ବିଜେପି ପ୍ରତିଶୃତି ଦେଇଛି ।

Comments (0)
Add Comment