ନୂଆଦିଲ୍ଲୀ :
ଦକ୍ଷିଣ ଆଫ୍ରିକା ଗସ୍ତ ପାଇଁ ଭାରତୀୟ ଟେଷ୍ଟ ଦଳ ଆଜି ଘୋଷଣା କରାଯିବ । ଖେଳାଳିଙ୍କ ସାମ୍ପ୍ରତିକ ଫର୍ମ ଏବଂ ଫିଟନେସକୁ ଦେଖିଲେ ବହୁ ବଡବଡ ଖେଳାଳି ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ଟିମ ଦଳରୁ ବାଦ ପଡିପାରନ୍ତି । ସେମାନଙ୍କ ମଧ୍ୟରେ ଅଛନ୍ତି ରବିନ୍ଦ୍ର ଜାଡେଜା, ଶୁଭମାନ ଗିଲ, ଇଶାନ୍ତ ଶର୍ମା ଏବଂ ଅକ୍ଷର ପଟେଲ । ଏହି ଖେଳାଳିମାନେ ଫିଟନେସ କାରଣରୁ ଦଳରୁ ବାଦ ପଡିପାରନ୍ତି । କିନ୍ତୁ ଅଜିଙ୍କ୍ୟ ରାହାଣେ ଏବଂ ଚେତେଶ୍ୱର ପୂଜାରାଙ୍କ ଖରାପ ଫର୍ମ ପାଇଁ ଦଳରେ ସ୍ଥାନ ପାଇନପାରନ୍ତି । ଦକ୍ଷିଣ ଆଫ୍ରିକା ଗସ୍ତ ପାଇଁ ରୋହିତ ଶର୍ମା କିମ୍ବା କେ.ଏଲ୍ ରାହୁଲଙ୍କୁ ଦଳର ଉପଅଧିନାୟକ ଦାୟିତ୍ୱ ଦିଆଯାଇପାରେ ।
ଇଣ୍ଡିଆନ୍ ଏକ୍ସପ୍ରେସର ଖବର ଅନୁଯାୟୀ ଶୁଭମାନ, ଜାଡେଜା, ଅକ୍ଷର ଏବଂ ଇଶାନ୍ତ ସମ୍ପୂର୍ଣ୍ଣ ଫିଟ୍ ନୁହଁନ୍ତି ଏବଂ ଫିଟନେସ୍ ପାଇବା ପାଇଁ ସେମାନଙ୍କ ପାଇଁ ସମୟ ଲାଗିବ, ତେଣୁ ଫିଟନେସ୍ ହେତୁ ଚାରିଜଣଙ୍କୁ ଦଳ ବାହାରେ ରହିବାକୁ ପଡିପାରେ । ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟରେ ଇଶାନ୍ତ ଗୋଟିଏ ୱିକେଟ୍ ନେଇପାରିନଥିଲେ ଏବଂ ଫିଟନେସ୍ କାରଣରୁ ଦ୍ୱିତୀୟ ମ୍ୟାଚ୍ ଖେଳିପାରିନଥିଲେ ।
ଅକ୍ଷର ଏବଂ ଜାଡେଜା ସେମାନଙ୍କ ପ୍ରଦର୍ଶନରେ ପ୍ରଭାବିତ କରିଥିବାବେଳେ ଫିଟନେସ୍ ସେମାନଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ହୋଇପାରେ । ଦ୍ୱିତୀୟ ଟେଷ୍ଟରେ ଶୁଭମାନ ମଧ୍ୟ ଆହତ ହୋଇଥିଲେ । ଏହି କାରଣରୁ ସେ ଦ୍ୱିତୀୟ ଇନିଂସରେ ମୟଙ୍କ ଅଗ୍ରୱାଲଙ୍କ ସହ ଓପନିଂ କରିନଥିଲେ । ସେ ତିନି ନମ୍ବରରେ ବ୍ୟାଟିଂ କରିବାକୁ ଆସିଥିଲେ ।
ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ଟିମ ପାଇଁ ଦକ୍ଷିଣ ଆଫ୍ରିକା ଗସ୍ତ ପାଇଁ ମହମ୍ମଦ ଶାମି,ଜସପ୍ରୀତ ବୁମ୍ରା ଦଳକୁ ଫେରିବେ । ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ମହମ୍ମଦ ସିରାଜ ଭଲ ବୋଲିଂ କରିଥିଲେ ତେଣୁ ଦଳରେ ତାଙ୍କର ଚୟନ ପ୍ରାୟ ନିଶ୍ଚିତ । ଦକ୍ଷିଣ ଆଫ୍ରିକା ଗସ୍ତରେ ଭାରତକୁ ତିନୋଟି ଟେଷ୍ଟ ଏବଂ ତିନୋଟି ଦିନିକିଆ ଖେଳିବାକୁ ପଡିବ ।