ପୁଣି ଇତିହାସ ରଚିଲା ଭାରତ :
ଲନ ବାଉଲ୍ସରେ ପ୍ରଥମ ଥର ଜିତିଲା ସ୍ୱର୍ଣ୍ଣ

ବର୍ମିଂହାମ: ରାଜ୍ୟଗୋଷ୍ଠୀ କ୍ରୀଡ଼ା ଲନ ବାଉଲ୍ସରେ ଭାରତୀୟ ମହିଳା ଦଳକୁ ମିଳିଛି ଐତିହାସିକ ସ୍ୱର୍ଣ୍ଣ । ଇତିହାସ ରଚିଛି ଭାରତୀୟ ମହଳା ଟିମ୍‌ । ଆଜି ଭାରତୀୟ ମହିଳା ଦଳ ଲନ ବାଉଲ୍ସ ୱମେନ ଫୋରସ ଇଭେଣ୍ଟର ଫାଇନାଲରେ ଦକ୍ଷିଣ ଆଫ୍ରିକାକୁ ୧୭-୧୦ରେ ପରାସ୍ତ କରି ସ୍ୱର୍ଣ୍ଣ ପଦକ ହାସଲ କରିଛି । ରାଜ୍ୟଗୋଷ୍ଠୀ କ୍ରୀଡାର ଏହି ଇଭେଣ୍ଟରେ ଭାରତୀୟ ଟିମ ପ୍ରଥମଥର ଭାଗ ନେଇଥିଲା । ଆଉ ପ୍ରଥମଥରରେ ହିଁ ମହିଳା ଦଳ ଦେଶ ପାଇଁ ସ୍ୱର୍ଣ୍ଣ ପଦକ ଜିତି ଇତିହାସ ସୃଷ୍ଟି କରିଛି । ଭାରତୀୟ ମହିଳା ଟିମରେ ଲଭଲୀ ଚୌବେ(ଲିଡ୍‌),ପିଙ୍କି(ଦ୍ୱିତୀୟ),ନୟନମଣି ସାଇକିଆ(ତୃତୀୟ) ଓ ରୂପା ରାଣୀ ତିର୍କୀ(ସ୍କିପ) ଦମଦାର ପ୍ରଦର୍ଶନ କରିଛନ୍ତି । ଗତକାଲି ଦଳ ନ୍ୟୁଜିଲ୍ୟାଣ୍ଡକୁ ୧୬-୧୩ରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଥିଲା । ଆଜି ଫାଇନାଲ ଲଢେଇରେ ମଧ୍ୟ ଦଳର ଖେଳାଳିମାନେ ଦମଦାର ପ୍ରଦର୍ଶନ କରିଛନ୍ତି । ଦକ୍ଷିଣ ଆଫ୍ରିକା ଶେଷ ଭାଗରେ ଭାରତକୁ ଚ୍ୟାଲେଞ୍ଜ ଦେଇ ଲିଡ ହାସଲ କରିଥିଲା । କିନ୍ତୁ ଭାରତୀୟ ଖେଳାଳି ଜବରଦସ୍ତ କମବ୍ୟାକ୍‌ କରି ଦେଶ ପାଇଁ ସ୍ୱର୍ଣ୍ଣ ପଦକ ହାତେଇଛନ୍ତି । ପ୍ରଥମ ରାଉଣ୍ଡ ବା ପ୍ରଥମ ଏଣ୍ଡ ସୁଦ୍ଧା ଭାରତ ୧-୦ରେ ଆଗରେ ଥିଲା । ଦ୍ୱିତୀୟ ରାଉଣ୍ଡରେ ଦକ୍ଷିଣ ଆଫ୍ରିକା ୨-୧ରେ ଆଗୁଆ ହୋଇଥିଲା । ତୃତୀୟ ରାଉଣ୍ଡରେ ଭାରତ ୨-୨ରେ ସ୍ଥିତି ବରାବର କରିଥିଲା । ୪ର୍ଥ ରାଉଣ୍ଡରେ ୩-୨, ୫ମ ରାଉଣ୍ଡରେ ୪-୨, ୬ଷ୍ଠ ରାଉଣ୍ଡରେ ୭-୨ ଓ ଅଷ୍ଟମ ରାଉଣ୍ଡ ଶେଷ ସୁଦ୍ଧା ଭାରତ ୮-୨ରେ ଆଗରେ ଥିଲା । ହେଲେ ଏହି ସମୟରେ ଦକ୍ଷିଣ ଆଫ୍ରିକା କମବ୍ୟାକ କରି ସ୍ଥିତିକୁ ପ୍ରଥମେ ୪-୮, ପରେ ୬-୮ ଓ ୧୦ମ ରାଉଣ୍ଡ ବେଳକୁ ସ୍ଥିତିକୁ ୮-୮ରେ ବରାବର କରି ନେଇଥିଲା । ୧୧ତମ ରାଉଣ୍ଡରେ ଦକ୍ଷିଣ ଆଫ୍ରିକା ୨ ପଏଣ୍ଟ ହାସଲ କରି ସ୍ଥିତିକୁ ୧୦-୮ କରି ଦେଇଥିଲା । ଭାରତ ୧୨ତମ ରାଉଣ୍ଡରେ ସ୍ଥିତି ବରାବର କରିବା ପରେ ଆଉ ଅଟକି ନଥିଲା । ୧୩ତମ ଏଣ୍ଡ ସୁଦ୍ଧା ସ୍ଥିତି ୧୦-୧୨, ୧୪ତମ ରାଉଣ୍ଡରେ ୩ ପଏଣ୍ଟ ହାସଲ କରି ୧୫-୧୦ ଓ ଶେଷ ରାଉଣ୍ଡରେ ୨ ପଏଣ୍ଟ ହାସଲ କରି ସ୍ଥିତି ୧୭-୧୦ କରିବା ସହ ସ୍ୱର୍ଣ୍ଣ ପଦକ ଜିତି ନେଇଥିଲା । ଭାରତୀୟ ମହିଳା ଦଳ ପ୍ରଥମଥର ପାଇଁ ଲନ ବାଉଲ୍ସରେ ସ୍ୱର୍ଣ୍ଣ ଜିତିଥିବାରୁ ଚାରିଆଡୁ ଖେଳାଳିଙ୍କ ପାଖକୁ ଶୁଭେଛାର ବାର୍ତ୍ତା ଆସିବା ପରେ ଲାଗିଛି । ଏହି ସ୍ୱର୍ଣ୍ଣକୁ ମିଶାଇ ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତର ପଦକ ସଂଖ୍ୟା ୧୦କୁ ବୃଦ୍ଧି ପାଇଛି । ଏଥିରେ ୪ ସ୍ୱର୍ଣ୍ଣ, ୩ ରୌପ୍ୟ ଓ ୩ ବ୍ରୋଞ୍ଜ ପଦକ ରହିଛି ।

Comments (0)
Add Comment