ବର୍ଷା ହେବା ପରେ କେମିତି ଥିଲା ଟିମ୍‌ ଇଣ୍ଡିଆର ବାତାବରଣ, କହିଲେ ରୋହିତ

ଆଡିଲେଡ : ଆଇସିସି ଟି -୨୦ ବିଶ୍ୱକପ ୨୦୨୨ ରେ ଭାରତ ବାଂଲାଦେଶ ବିପକ୍ଷରେ ବିଜୟ ସହ ପଏଣ୍ଟ ଟେବୁଲରେ ଶୀର୍ଷ ସ୍ଥାନ ଅଧିକାର କରିଛି । ଚାରିଟି ମ୍ୟାଚ୍‌ରେ ଏହା ଭାରତର ତୃତୀୟ ବିଜୟ ଥିଲା । ବାସ୍ତବରେ ଏହି ବିଜୟ ଟିମ୍‌ ଇଣ୍ଡିଆ ପାଇଁ ମଧ୍ୟ ସହଜ ନଥିଲା । ଆଡିଲେଡ୍‌ ଓଭାଲ୍‌ ଗ୍ରାଉଣ୍ଡରେ ଖେଳାଯାଇଥିବା ମ୍ୟାଚରେ ଭାରତ ୨୦ ଓଭରରେ ୬ ଉଇକେଟ ହରାଇ ୧୮୪ କରିଥିଲା । ଏହାର ଜବାବରେ ବାଂଲାଦେଶ ବିନା ଉଇକେଟରେ ସାତ ଓଭରରେ ୬୬ ରନ୍‌ ସଂଗ୍ରହ କରିଥିଲା । ତା’ପରେ ବର୍ଷା ଆରମ୍ଭ ହୋଇଥିଲା । ଅଧିନାୟକ ରୋହିତ ଶର୍ମାଙ୍କ ସମେତ ଟିମ୍‌ ଇଣ୍ଡିଆର ସମସ୍ତ ଖେଳାଳିଙ୍କ ଚେହେରା ବର୍ଷା ସମୟରେ ନିରାଶ ଭାବ ଦେଖାଯାଇଥିଲା ଏବଂ ଏହାର କାରଣ ହେଉଛି ଯଦି ବର୍ଷା ବନ୍ଦ ନହୁଏ, ତେବେ ଡକୱର୍ଥ-ଲୁଇସ୍‌ ଅନୁଯାୟୀ ବାଂଲାଦେଶ ଭାରତକୁ ହରାଇ ଦେଇଥାନ୍ତା । କ୍ୟାପଟେନ ରୋହିତ ଶର୍ମା ବିଜୟ ପରେ ଦୀର୍ଘ ନିଶ୍ୱାସ ତ୍ୟାଗ କରିଥିଲେ । ମ୍ୟାଚ୍‌ ପରେ ଯେତେବେଳେ ତାଙ୍କୁ ପଚରାଗଲା ସେ କିପରି ଅନୁଭବ କରୁଛନ୍ତି । ସେ କହିଥିଲେ ମୁଁ ଏକ ସମୟରେ ନର୍ଭସ ଏବଂ ଶାନ୍ତ ଅନୁଭବ କରୁଥିଲି ।
ମ୍ୟାଚ୍‌ ପରେ ରୋହିତ କହିଛନ୍ତି, ‘ମୁଁ ଉଭୟ ଶାନ୍ତ ଏବଂ ନର୍ଭସ ଥିଲି । ଗୋଷ୍ଠୀ ଭାବରେ ଆମକୁ ଶାନ୍ତ ରହିବା ସହ ଆମର ଯୋଜନା କାର୍ଯ୍ୟକାରୀ କରିବା ଗୁରୁତ୍ୱପୂର୍ଣ୍ଣ ଥିଲା । ସେ କହିଛନ୍ତି ବର୍ଷା ପରେ ଉଭୟ ପକ୍ଷରେ ମ୍ୟାଚ ଥିଲା । କାରଣ ବାଂଲାଦେଶ ପାଖରେ ୧୦ ୱିକେଟ୍‌ ଥିଲା । ବିରତି ପରେ ଆମେ ଭଲ କରିଥିଲୁ । ଏଭଳି ପରିସ୍ଥିତି ପାଇଁ ଆମେ ଆର୍ଶଦୀପଙ୍କୁ ପ୍ରସ୍ତୁତ କରିଛୁ । ଆମ ପାଖରେ ଜସପ୍ରୀତ ବୁମ୍ରା ନାହାନ୍ତି ତେଣୁ ଯାହାକୁ ହେଲେ ଏହି କାମ କରିବାକୁ ପଡିବ । ତେଣୁ ଡେଥ ଓଭର ପାଇଁ ଆମେ ଆର୍ଶଦୀପଙ୍କୁ ପ୍ରସ୍ତୁତ କରୁଛୁ ।
ରୋହିତ ଆହୁରି କହିଛନ୍ତି, ‘ଏପରି ଜଣେ ଯୁବ ଖେଳାଳିଙ୍କ ପାଇଁ ଏହା ସହଜ ନୁହେଁ, କିନ୍ତୁ ଆମେ ତାଙ୍କୁ ପ୍ରସ୍ତୁତ କରିଛୁ, ଗତ ୯ ମାସ ଧରି ସେ ଆମ ପାଇଁ ଏହା କରୁଛନ୍ତି । ଶେଷ ଓଭରରେ ବୋଲିଂ କରିବାକୁ ମହମ୍ମଦ ଶାମି ଏବଂ ଅର୍ଶଦୀପ ସିଂଙ୍କ ବିକଳ୍ପ ଥିଲା, କିନ୍ତୁ ଆମେ ଅର୍ଶଦୀପଙ୍କୁ ବାଛିଲୁ, ଯିଏ ଏହା ଆମ ପାଇଁ କରିସାରିଛନ୍ତି । ରାହୁଲ ଫର୍ମକୁ ଫେରିବା ପରେ ରୋହିତ କହିଛନ୍ତି, ‘ମୁଁ ଭାବୁଛି ସେ ଫର୍ମରୁ ବାହାରି ନାହାଁନ୍ତି, ଏହା କେବଳ ଗୋଟିଏ କିମ୍ବା ଦୁଇଟି ଇନିଂସର ବିଷୟ । ତାଙ୍କ ବିଷୟରେ ଆମର କୌଣସି ସନ୍ଦେହ ନଥିଲା ।

Comments (0)
Add Comment