ରାଜ୍ୟଗୋଷ୍ଠୀ : ଆଉ ଗୋଟିଏ ପଦକ ପକ୍କା କଲେ ଭାବିନା

ବର୍ମିଂହାମ: ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତ ପାଇଁ ଆଉ ଗୋଟିଏ ପଦକ ପକ୍କା କରିଛନ୍ତି ପାରା ଆଥଲେଟ ଭାବିନା ପଟେଲ । ସେ ଟେବୁଲ ଟେନିସର ମହିଳା ଏକକ ବର୍ଗର ଫାଇନାଲରେ ପ୍ରବେଶ କରିଛନ୍ତି । ଭାରତର ଏହି ଷ୍ଟାର ଟିଟି ଖେଳାଳି ପାରା ଅଲିମ୍ପିକ୍ସରେ ମଧ୍ୟ ଭାରତ ପାଇଁ ପଦକ ଜିତିଥିଲେ । ଏବେ ସେ ରାଜ୍ୟଗୋଷ୍ଠୀ କ୍ରୀଡାରେ ମଧ୍ୟ ଦେଶ ପାଇଁ ପଦ ନିଶ୍ଚିତ କରିଛନ୍ତି । ମହିଳା ଏକକ ଟେବୁଲ ଟେନିସର କ୍ଲାସେସ ୩-୫ ବର୍ଗର ସେମି ଫାଇନାଲରେ ଭାବିନାଙ୍କ ମୁକାବିଲା ଇଂଲଣ୍ଡର ସୁ ବେଲୀଙ୍କ ସହ ହୋଇଥିଲା । ଏହି ମ୍ୟାଚରେ ଭାରତୀୟ ଷ୍ଟାର ଦମଦାର ପ୍ରଦର୍ଶନ କରି ବେଲୀଙ୍କୁ ୩-୦ ସେଟରେ ପରାସ୍ତ କରିଛନ୍ତି । ଭାବିନା ପ୍ରଥମ ସେଟକୁ ୧୧-୩, ଦ୍ୱିତୀୟ ସେଟକୁ ୧୧-୬ ଓ ତୃତୀୟ ସେଟକୁ ୧୧-୬ରେ ଜିତି ସ୍ୱର୍ଣ୍ଣ ପଦକ ମ୍ୟାଚ୍‌ ଖେଳିବାକୁ ଯୋଗ୍ୟତା ଅର୍ଜନ କରିଛନ୍ତି । ସେ ଫାଇନାଲରେ ହାରିଲେ ମଧ୍ୟ ଦେଶ ପାଇଁ ରୌପ୍ୟ ପଦକ ଜିତିବାର ରେକର୍ଡ କରିବେ । କିନ୍ତୁ ଭାବିନାଙ୍କ ଠାରୁ ଦେଶ ସ୍ୱର୍ଣ୍ଣ ପଦକ ଆଶା ରଖିଛି । ଗୁରୁବାର କ୍ୱାର୍ଟର ଫାଇନାଲ ମୁକାବିଲାରେ ଭାବିନା ଫିଜିର ଅକନିସି ଲାଉଟଙ୍କୁ ୧୧-୧, ୧୧-୫ ଓ ୧୧-୧ରେ ହରାଇଥିଲେ । ଏହି ମ୍ୟାଚ୍‌ରେ ଆରମ୍ଭରୁ ଶେଷ ଯାଏ ଭାବିନାଙ୍କ ଦବଦବା ଦେଖିବାକୁ ମିଳିଥିଲା ।

Comments (0)
Add Comment