ବର୍ମିଂହାମ: ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତକୁ ମିଳିଛି ପ୍ରଥମ ପଦକ । ଦେଶ ପାଇଁ ୫୫ କେଜି ଭାରୋତ୍ତୋଳନ ବର୍ଗରେ ରୌପ୍ୟ ଜିତିଛନ୍ତି ସଙ୍କେତ ମହାଦେବ ସାଗର । ସେ ମୋଟ ୨୪୮ କେଜି ଓଜନ ଉଠାଇ ବର୍ମିଂହାମରେ ଭାରତର ଟେକ ରଖିଛନ୍ତି । ସେ ସ୍ନାଚରେ ୧୧୩ କେଜି ଓଜନ ଉଠାଇଥିବା ବେଳେ କ୍ଲିନ ଆଣ୍ଡ ଜର୍କରେ ୧୩୫ କେଜି ଓଜନ ଉଠାଇଛନ୍ତି । ତେବେ ଦ୍ୱିତୀୟ ଚେଷ୍ଟାରେ ସଙ୍କେତ ୧୪୧ କେଜି ଓଜନ ଉଠାଇବାକୁ ଚେଷ୍ଟା କରୁଥିବା ବେଳେ ତାଙ୍କ କହୁଣୀ ଗୁରୁତର ଭାବେ ଆଘାତ ପ୍ରାପ୍ତ ହୋଇଛି । ତଥାପି ସେ ତୃତୀୟ ଚେଷ୍ଟା କରିଥିଲେ । ହେଲେ ସେଥିରେ ମଧ୍ୟ ସଙ୍କେତ ନିରାଶ ହୋଇଛନ୍ତି । ତୃତୀୟ ଚେଷ୍ଟାରେ ଫେଲ ମାରିଥିବା ସଙ୍କେତଙ୍କ କହୁଣୀରେ ଆହୁରି ଶକ୍ତ ଆଘାତ ଲାଗିଛି । ଏଥିପାଇଁ ତାଙ୍କୁ ମେଡିକାଲ ସୁବିଧା ଯୋଗାଇ ଦିଆଯାଇଛି । ଏହି ବର୍ଗରେ ମାଲେସିୟାର ବିନ ମହମ୍ମଦ ଅନିକ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ସେ ମୋଟ ୨୪୯ କେଜି ଓଜନ ଉଠାଇଛନ୍ତି । ସେ ସ୍ନାଚରେ ୧୦୭ କେଜି ଓ କ୍ଲିନ ଆଣ୍ଡ ଜର୍କରେ ୧୪୨ କେଜି ଓଜନ ଉଠାଇଛନ୍ତି । ଶ୍ରୀଲଙ୍କାର ଦିଲଙ୍କା ୟୋଡାଗେ ଏହି ବର୍ଗରେ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି ।