ବର୍ମିଂହାମ: ରାଜ୍ୟଗୋଷ୍ଠୀ କ୍ରୀଡାରେ ଆଜି ଅନୁଷ୍ଠିତ ପ୍ରଥମ ଟି-୨୦ ମ୍ୟାଚରେ ବିଶ୍ୱ ବିଜେତା ଅଷ୍ଟ୍ରେଲିଆ ଠାରୁ ହାରିଛି ଭାରତୀୟ ମହିଳା ଦଳ । ଭାରତୀୟ ମହିଳା ମିଡିୟମ ପେସର ରେଣୁକା ସିଂହ ଏକାକୀ ୪ ୱିକେଟ ଦଖଲ କରି ଅଷ୍ଟ୍ରେଲିଆକୁ ଅଡୁଆରେ ପକାଇଥିଲେ ମଧ୍ୟ ଭାରତ ମ୍ୟାଚ୍ ଜିତିବାକୁ ସକ୍ଷମ ହୋଇପାରିନି । ପ୍ରଥମେ ଗ୍ରେସ ହାରିସ ଓ ଶେଷରେ ଆଶଲେ ଗାର୍ଡେନରଙ୍କ ଅପରାଜିତ ଅର୍ଦ୍ଧଶତକ ବଳରେ ଅଷ୍ଟ୍ରେଲିଆ ୩ ୱିକେଟରେ ଏହି ମ୍ୟାଚକୁ ଜିତି ନେଇଛି । ଭାରତ ପ୍ରଥମେ ବ୍ୟାଟିଂ କରି ୮ ୱିକେଟ ବଳରେ ୧୫୪ ରନ କରିଥିଲା । ଏହାର ଜବାବରେ ଅଷ୍ଟ୍ରେଲିଆ ୭ ୱିକେଟ ହରାଇ ୬ ବଲ ପୂର୍ବରୁ ଧାର୍ଯ୍ୟ ଟାର୍ଗେଟକୁ ହାସଲ କରିନେଇଥିଲା । ରାଜ୍ୟଗୋଷ୍ଠୀ କ୍ରୀଡାରେ ପ୍ରଥମଥର ମହିଳା କ୍ରିକେଟକୁ ଚଳିତ ବର୍ଷ ସାମିଲ କରାଯାଇଛି । ଏହି ଟି-୨୦ ଫର୍ମାଟର ପ୍ରଥମ ମ୍ୟାଚରେ ଭାରତ ଓ ଅଷ୍ଟ୍ରେଲିଆ ମୁହାଁମୁହିଁ ହୋଇଥିଲେ । କିନ୍ତୁ ଐତିହାସିକ ମ୍ୟାଚରେ ଭାରତକୁ ହାରିବାକୁ ପଡିଛି । ୧୫୫ ରନର ଟାର୍ଗେଟ ପାଇଥିବା ଅଷ୍ଟ୍ରେଲିଆ ଆରମ୍ଭରୁ ଘୋର ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ପ୍ରଥମ ଓଭରରେ ହିଁ ରେଣୁକା ସିଂହ ଆଲେସା ହେଲୀ(୦)ଙ୍କୁ ଆଉଟ କରିଥିଲେ । ଏହାପରେ ମେଗ ଲାନିଙ୍ଗ(୮), ବେଥ ମୋନୀ(୧୦) ଓ ତାହିଲା ମ୍ୟାଗରାଥ(୧୪) ପ୍ୟାଭିଲିୟନ ଫେରିଥିଲେ । ପ୍ରଥମ ୪ ୱିକେଟରେ ଅଷ୍ଟ୍ରେଲିଆ ୩୪ ରନ ମଧ୍ୟରେ ହରାଇ ସଙ୍କଟରେ ପଡିଥିଲା । ସବୁ ମହିଳା ବ୍ୟାଟରଙ୍କ ୱିକେଟ ରେଣୁକା ସିଂହ ହିଁ ନେଇଥିଲେ । ସେ ୪ ଓଭରରେ ୧୮ ରନ ଦେଇ ୪ଟି ୱିକେଟ ଦଖଲ କରିଥିଲେ । ଦଳୀୟ ସ୍କୋର ୪୯ ଥିବା ବେଳେ ଦୀପ୍ତି ଶର୍ମା ୯ ରନ କରିଥିବା ରିଚେଲ ହାୟନେସଙ୍କୁ ଆଉଟ କରିଥିଲେ । ୫୦ ରନ ଭିତରେ ଅଷ୍ଟ୍ରେଲିଆ ୫ ୱିକେଟ ହରାଇ ସଙ୍କଟରେ ପଡିଥିଲା । କିନ୍ତୁ ହାରିସ ଓ ଗାର୍ଡେନର ହାର ମାନିବା ମୁଡରେ ନଥିଲେ । ବିଶେଷ କରି ହାରିସଙ୍କ ବ୍ୟାଟରୁ ବଡ ବଡ ଶଟ ଦେଖିବାକୁ ମିଳିଥିଲା । ସେ ଗାର୍ଡେନରଙ୍କ ସହ ମିଶି ୬ଷ୍ଠ ୱିକେଟ ପାଇଁ ୫୧ ରନ ଯୋଡିଥିଲେ । ହାରିସ ୨୦ ବଲରେ ୩୭ ରନ କରିଥିବା ବେଳେ ତାଙ୍କୁ ଡେବ୍ୟୁଟାଣ୍ଟ ମେଘନା ସିଂହ ଆଉଟ କରି ଭାରତକୁ ମ୍ୟାଚ୍ରେ କମବ୍ୟାକ କରାଇଥିଲେ । ଏହାପରେ ଜେସ ଜୋନାସେନ(୩)ଙ୍କୁ ମଧ୍ୟ ଦୀପ୍ତି ଶର୍ମା ଆଉଟ କରି ଦେଇ ଅଷ୍ଟ୍ରେଲିଆକୁ ୭ମ ଝଟକା ଦେଇଥିଲେ । କିନ୍ତୁ କ୍ରିଜରେ ଥିବା ଗାର୍ଡନର ଦମଦାର ବ୍ୟାଟିଂ କରି ଭାରତ ହାତରୁ ମ୍ୟାଚ୍ ଛଡାଇ ନେଇଥିଲେ । ସେ ଶେଷ ଯାଏ ୩୫ ବଲରେ ଅପରାଜିତ ୫୨ ରନର ଇନିଂସ ଖେଳି ଅଷ୍ଟ୍ରେଲିଆକୁ ଜିତାଇଛନ୍ତି । ତାଙ୍କ ସହ ଆଲନା କିଙ୍ଗ ୧୬ ବଲରେ ୧୮ ରନ କରି ଶେଷ ଯାଏ ଅପରାଜିତ ରହିଥିଲେ । ଦଳକୁ ଜିତିବା ପାଇଁ ୨ ରନ ଦରକାର ଥିବା ବେଳେ କିଙ୍ଗ ଚୌକା ମାରି ମ୍ୟାଚ୍ ଶେଷ କରିଥିଲେ ।