ନୂଆଦିଲ୍ଲୀ ଦକ୍ଷିଣ ଆଫ୍ରିକା ଗସ୍ତର ଠିକ୍ ପୂର୍ବରୁ ଟିମ ଇଣ୍ଡିଆକୁ ବଡ ଝଟ୍କା ଲାଗିଛି । ଟେଷ୍ଟ ଫର୍ମାଟର ଉପଅଧିନାୟକ ରୋହିତ ଶର୍ମା ଅଭ୍ୟାସ ବେଳେ ଆହତ ହୋଇଥିବା ଜଣାପଡିଛି । ଆହତ ହେବା କାରଣରୁ ଅଧିକ ସମୟ ପଡିଆରେ ଅଭ୍ୟାସ କରିପାରିନାହାନ୍ତି ରୋହିତ ।ସେ ଅଜିଙ୍କ୍ୟ ରାହାଣେ, ଋଷଭ ପନ୍ତ, ଲୋକେଶ ରାହୁଲ ଏବଂ ଶାର୍ଦ୍ଦଳ ଠାକୁରଙ୍କ ସହ ନେଟ୍ସରେ ଅଭ୍ୟାସ କରୁଥିଲେ । ଅଭ୍ୟାସ ବେଳେ ଏକ ବଲ ରୋହିତ ଶର୍ମାଙ୍କ ହାତରେ ବାଜିଥିବା ଜଣାପଡିଛି । ତେବେ ବଲଟି କେତେ ଜୋରରେ ବାଜିଛି ତାହା ଜଣାପଡିନଥିବା ବେଳେ ଟିମ ମ୍ୟାନେଜମେଣ୍ଟ ପକ୍ଷରୁ ମଧ୍ୟ କୌଣସି ସୂଚନା ଦିଆଯାଇନାହିଁ ।
ନେଟସ୍ରେ ଅଭ୍ୟାସ କରୁଥିବା ବେଳେ ଟିମ ଇଣ୍ଡିଆର ଥ୍ରୋ ଡାଉନ୍ ସ୍ପେଶାଲିଷ୍ଟ ରଘୁବେନ୍ଦ୍ର ବୋଲିଂ କରୁଥିଲେ । ଏତିକି ବେଳେ ଦ୍ରୁତଗତିରେ ଏକ ବଲ ଯାଇ ରୋହିତଙ୍କ ଗ୍ଲୋବସ୍ରେ ଲାଗିଥିଲା । ରୋହିତ ଖୁବ ଯନ୍ତ୍ରଣା ମଧ୍ୟ ଅନୁଭବ କରୁଥିବା ଦେଖିବାକୁ ମିଳିଥିଲା । ତେବେ ସେ ସାମାନ୍ୟ ଆହତ ହୋଇଛନ୍ତି କିମ୍ବା ବଲଟି ଜୋରରେ ହାତରେ ବାଜିଛି ତାହା ଜଣାପଡିନାହିଁ ।
ଦକ୍ଷିଣ ଆଫ୍ରିକା ଗସ୍ତ ପାଇଁ ଭାରତୀୟ ଦଳରେ ରୋହିତ ଶର୍ମାଙ୍କ ବ୍ୟତିତ ଲୋକେଶ ରାହୁଲ, ଋଷଭ ପନ୍ତ, ଜସପ୍ରୀତ ବୁମରାହ, ମହମ୍ମଦ ସାମୀ ଭଳି ଖେଳାଳିଙ୍କୁ ଦଳରେ ସାମିଲ କରାଯାଇଛି । ଏମାନେ ନ୍ୟୁଜିଲାଣ୍ଡ ବିପକ୍ଷ ଘରୋଇ ସିରିଜ୍ରେ ଖେଳୁନଥିଲେ । ଟି-୨୦ବିଶ୍ୱକପ ପରେ ଏମାନଙ୍କୁ ବିଶ୍ରାମ ଦିଆଯାଇଥିଲା ।