ପ୍ରଥମ ଟେଷ୍ଟରୁ ବାଦ ପଡ଼ିଲେ ବାଂଲା ସ୍ପିନର ମେହେଦୀ

ନୂଆଦିଲ୍ଲୀ,୨୫/୪ : ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜ ଆରମ୍ଭ ହେବା ପୂର୍ବରୁ ବାଂଲାଦେଶ କ୍ରିକେଟ ଦଳକୁ ଲାଗିଛି ଶକ୍ତ ଝଟକା । ଦଳର ପ୍ରମୁଖ ସ୍ପିନର ମେହେଦୀ ହାସନ ପ୍ରଥମ ମ୍ୟାଚରୁ ବାଦ ପଡ଼ିଛନ୍ତି । ତାଙ୍କ ଆଙ୍ଗୁଠିରେ ଆଘାତ ଲାଗିଥିବାରୁ ତାଙ୍କୁ ବିଶ୍ରାମ ଦିଆଯାଇଛି ବୋଲି ଆଜି ବୋଡର଼୍ ପକ୍ଷରୁ ସୂଚନା ଦିଆଯାଇଛି । ତାଙ୍କ ସ୍ଥାନରେ ନୟୀମ ହାସନ ଖେଳିବା ଏକପ୍ରକାର ନିଶ୍ଚିତ ହୋଇଯାଇଛି । ତେବେ କେବଳ ପ୍ରଥମ ଟେଷ୍ଟ ନୁହେଁ,ମେହଦୀ ଦ୍ୱିତୀୟ ମ୍ୟାଚ ଖେଳିବା ସମ୍ଭାବନା ମଧ୍ୟ ବହୁତ କମ । ଏହି ସିରିଜ ପାଇଁ ଦଳ ଘୋଷଣା ହେବା ଦିନ ହିଁ ସେ ଆହତ ହୋଇଥିଲେ । ଜାତୀୟ ଚୟନ କମିଟି ସଦସ୍ୟ ହବିବୁଲ ବସର ଏକ ବିବୃତିରେ କହିଛନ୍ତି ଯେ ଆଙ୍ଗୁଠିରେ ଆଘାତ ଯୋଗୁ ମେହେଦୀ ପ୍ରଥମ ମ୍ୟାଚ ଖେଳିପାରିବେ ନାହିଁ । ଏହା ନିଶ୍ଚିତ । ତା ସହିତ,ସେ ଦ୍ୱିତୀୟ ମ୍ୟାଚ ଖେଳିବା ସମ୍ଭାବନା ମଧ୍ୟ ବହୁତ କମ । ଗତକାଲି ଏକ ଲିଗ ମ୍ୟାଚରେ ଏକ କ୍ୟାଚ ଧରିବା ବେଳେ ତାଙ୍କ ଆଙ୍ଗୁଠିରେ ଆଘାତ ଲାଗିଥିଲା । ଭଲ ହେବାକୁ ତାଙ୍କୁ ଅତିକମରେ ଆଠ ଦଶ ଦିନ ଲାଗିଯିବ । ଏହି ସିରିଜ ପାଇଁ ଶ୍ରୀଲଙ୍କା ଦଳ ଆସନ୍ତା ମେ ୮ ତାରିଖରେ ଆସି ପହଞ୍ଚିବେ । ପ୍ରକାଶଥାଉକି,ଏହି ସିରିଜ ୨୦୨୧-୨୩ ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିଅନସିପର ଏକ ଅଂଶ ।

Comments (0)
Add Comment