ନୂଆଦିଲ୍ଲୀ: ଚଳିତ ଇଣ୍ଡିଆନ୍ ପ୍ରିମିୟର ଲିଗ୍ ତଥା ଆଇପିଏଲ୍ରେ ଘାରିଲା କରୋନା ଭୟ । ପୁଣି ଥରେ ଆଇପିଏଲ୍ରେ ପଶିଲା ଏହି ଭାଇରସ୍ । ନିକଟରେ ଦିଲ୍ଲୀ କ୍ୟାପିଟାଲ୍ସ ଟିମ୍ର ଫିଜିୟୋ ପ୍ୟାଟ୍ରିକ୍ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ଏହା ପରେ ଏବେ ପୂରା ଟିମ୍କୁ କ୍ୱାରେଣ୍ଟାଇନ୍ କରାଯାଇଛି ।
ଦିଲ୍ଲୀ କ୍ୟାପିଟାଲ୍ସର ପରବର୍ତ୍ତୀ ମ୍ୟାଚ୍ ପୁଣେରେ ଅନୁଷ୍ଠିତ ହେବ । ଏଥିପାଇଁ ଦଳ ପୁଣେ ଯାଇଥାନ୍ତା, କିନ୍ତୁ କରୋନା ପାଇଁ ଏହି ଟିମ୍ର ଖେଳାଳିଙ୍କୁ ଏବେ ହୋଟେଲରେ ହିଁ ଅଟକାଇ ଦିଆଯାଇଛି । ବର୍ତ୍ତମାନ ସମସ୍ତ ଖେଳାଳିଙ୍କ ଦୁଇ ଦିନ ଧରି କରୋନା ପରୀକ୍ଷା କରାଯିବ । ରିପୋର୍ଟ ଆସିବା ପରେ ହିଁ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ ।
ରିପୋର୍ଟ ମୁତାବକ, ରିଷଭ ପନ୍ଥ ଅଧିନାୟକ ଥିବା ଦିଲ୍ଲୀ କ୍ୟାପିଟାଲ୍ସ ଟିମ୍ର ତା’ ପରବର୍ତ୍ତୀ ମ୍ୟାଚ୍ରେ ପଞ୍ଜବ କିଙ୍ଗସ ସହ ମୁହାଁମହିଁ ହେବ । ଆସନ୍ତା ଏପ୍ରିଲ ୨୦ରେ ପୁଣେର ମହାରାଷ୍ଟ୍ର କ୍ରିକେଟ ଆସୋସିଏସନ୍ ଷ୍ଟାଡିୟମରେ ଏହି ମ୍ୟାଚ୍ ଖେଳାଯିବ । ଏହି ମ୍ୟାଚ୍ ପାଇଁ ଦିଲ୍ଲୀ ଟିମ୍ ଏପ୍ରିଲ ୧୮ରେ ପୁଣେ ଗସ୍ତ କରିଥାନ୍ତା । କିନ୍ତୁ କରୋନା ଯୋଗୁଁ ଦଳର ସମସ୍ତ ଖେଳାଳିଙ୍କୁ ମୁମ୍ବାଇ ସ୍ଥିତ ଏକ ହୋଟେଲରେ କ୍ୱାରେଣ୍ଟାଇନ୍ କରାଯାଇଛି ।
ନିକଟରେ ରାପିଡ୍ ଆଣ୍ଟିଜେନ୍ ଟେଷ୍ଟରେ ଦିଲ୍ଲୀ ଟିମ୍ର ଖେଳାଳି ଫିଜିୟୋ ପ୍ୟାଟ୍ରିକ୍ ଫରହାର୍ଟ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ତାଙ୍କ ପରେ ଟିମ୍ର ଆଉ ଜଣେ ଖେଳାଳି ମଧ୍ୟ କରୋନାରେ ସଂକ୍ରମିତ ହୋଇଥିବା ଜଣାପଡିଥିଲା । ଏହି କାରଣ ଯୋଗୁଁ ଖେଳାଳିଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଦିଲ୍ଲୀ ଫ୍ରାଞ୍ଚାଇଜ୍ ପୂରା ଟିମ୍ର ଆର୍ଟିପିସିଆର୍ ଟେଷ୍ଟ କରାଇବାକୁ ନିଷ୍ପତ୍ତି ନେଇଛି ।