ନୂଆଦିଲ୍ଲୀ: ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲିଙ୍କର ଆଜିର ଏକ ଟୁଇଟକୁ ନେଇ ଦିନତମାମ କ୍ରିିକେଟ ସମେତ ବିଭିନ୍ନ ମଡଲରେ ହଇଚଇ ସୃଷ୍ଟି ହୋଇଥିଲା । ତେବେ କିଛି ଘଣ୍ଟା ପରେ ଏଥିରେ ଯବନିକା ପଡ଼ିଥିଲା । ଗାଙ୍ଗୁଲି ଆଜି ଅପରାହ୍ନରେ ପୋଷ୍ଟ କରିଥିବା ଏହି ଟୁଇଟରେ କହିଥିଲେ ଯେ ଆଜି ମୁଁ କିଛି ଅଲଗା ଯୋଜନା ଆରମ୍ଭ କରିବାକୁ ଯାଉଛି,ଯେଉଁଥିରେ ସମ୍ଭବତଃ ବହୁତ ଲୋକଙ୍କ ଉପକାର ହେବ । ମୋର ଆଶା ଅଛି ଯେ ମୁଁ ପ୍ରବେଶ କରିବାକୁ ଯାଉଥିବା ମୋ ଜୀବନର ନୂଆ ଅଧ୍ୟାୟରେ ଆପଣଙ୍କ ସମର୍ଥନ ଜାରି ରହିବ ।”ତାଙ୍କର ଏଭଳି ଟୁଇଟ ପରେ ସଙ୍ଗେ ସଙ୍ଗେ ଗଣମାଧ୍ୟମରେ ଖବର ପ୍ରକାଶ ପାଇଲା ଯେ ଗାଙ୍ଗୁଲି ସଭାତି ପଦରୁ ଇସ୍ତଫା ଦେଇଛନ୍ତି । ଏଭଳି ଖବର ପ୍ରକାଶ ପାଇବା ପରେ ହଇଚଇ ସୃଷ୍ଟି ହୋଇଯାଇଥିଲା ଏବଂ ବହୁ ବ୍ୟକ୍ତି ଗାଙ୍ଗୁଲିଙ୍କୁ ଫୋନ କରିଥିଲେ । କିଛି ସମୟପରେ ବିିସିସିଆଇ ସଂପାଦକ ଜୟ ଶାହ ଏହି ଖବରକୁ ଖଣ୍ଡନ କରିଥିଲେ । ପରେ ନିଜେ ଗାଙ୍ଗୁଲି ଏକ ଚାନେଲ ଦେଇଥିବା ସାକ୍ଷାତକାରରେ ଖବରକୁ ଖଣ୍ଡନ କରି କହିଥିଲେ ଯେ ସେ ଇସ୍ତଫା ଦେଇ ନାହାନ୍ତି । ଏବେ ବି ସଭାପତି ପଦରେ ଅଛନ୍ତି । ଏହା ପରେ ହିଁ ସମସ୍ତ ଦ୍ୱନ୍ଦ୍ୱର ଅବସାନ ଘଟିଥିଲା ।
ଦାଦା ଟ୍ୱିଟ କରି କହିଥିଲେ, “୧୯୯୨ରେ ମୁଁ ଆରମ୍ଭ କରିଥିବା କ୍ରିକେଟ କ୍ୟାରିୟରକୁ ୨୦୨୨ରେ ୩୦ ବର୍ଷ ପୂରିଛି । ଆରମ୍ଭରୁ କ୍ରିକେଟ ମୋତେ ବହୁତ କିଛି ଦେଇଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା କ୍ରିକେଟ ଯୋଗୁ ଆପଣମାନଙ୍କ ସମର୍ଥନ ମିଳିଛି । ଏହି ଯାତ୍ରାରେ ସାମିଲ ଥିବା ପ୍ରତିଟି ଲୋକଙ୍କୁ ମୁଁ ଧନ୍ୟବାଦ ଜଣାଉଛି । ଆଜି ମୁଁ ଯେଉଁଠି ବି ପହଞ୍ଚିଛି, ସବୁ କିଛି ଆପଣମାନଙ୍କ ସମର୍ଥନ ଓ ସହଯୋଗ ପାଇଁ ସମ୍ଭବ ହୋଇ ପାରିଛି । ଆଜି ମୁଁ କିଛି ଅଲଗା ଯୋଜନା ଆରମ୍ଭ କରିବାକୁ ଯାଉଛି, ଯେଉଁଥିରେ ସମ୍ଭବତଃ ବହୁତ ଲୋକଙ୍କ ଉପକାର ହେବ । ମୋର ଆଶା ଅଛି ଯେ ମୁଁ ପ୍ରବେଶ କରିବାକୁ ଯାଉଥିବା ମୋ ଜୀବନର ନୂଆ ଅଧ୍ୟାୟରେ ଆପଣଙ୍କ ସମର୍ଥନ ଜାରି ରହିବ ।”