ଓ୍ଵେଷ୍ଟଇଣ୍ଡିଜ ସିରିଜ୍ ପାଇଁ ଭାରତୀୟ ଦଳ ଘୋଷଣା

ନୂଆଦିଲ୍ଲୀ ୨୬।୦୧: ଓ୍ଵେଷ୍ଟଇଣ୍ଡିଜ ବିପକ୍ଷ ସୀମିତ ଓଭର ସିରିଜ୍ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି। ଅଧିନାୟକ ରୋହିତ ଶର୍ମା ଦଳକୁ ଫେରିଛନ୍ତି। ସେ ଉଭୟ ଦିନିକିଆ ଏବଂ ଟି-୨୦ ସିରିଜ୍‌ରେ ଦଳର ନେତୃତ୍ଵ ନେବେ। କେଏଲ ରାହୁଲ ଉପ ଅଧିନାୟକ ଦାୟିତ୍ଵ ସମ୍ଭାଳିବେ। ପୂର୍ବତନ ଅଧିନାୟକ ବିରାଟ କୋହଲି ଉଭୟ ସିରିଜ୍‌ରେ ଦଳରେ ଉପଲବ୍ଧ ରହିବେ। ଅନୁଭବୀ ସ୍ପିନର କୁଲଦୀପ ଯାଦବ ଦୀର୍ଘ ଦିନ ପରେ ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଏଥିସହ ଯୁବ ସ୍ପିନ ବୋଲର ରବି ବିଶ୍ନୋଇଙ୍କୁ ଟି-୨୦ ଏବଂ ଦିନିକିଆ ସିରିଜ୍ ପାଇଁ ଦଳରେ ସାମିଲ୍ କରାଯାଇଛି। ସେ ଓ୍ଵେଷ୍ଟଇଣ୍ଡିଜ ବିପକ୍ଷରେ ଅନ୍ତର୍ଜାତୀୟ ପଦାର୍ପଣ କରି ପାରନ୍ତି।

ବରୋଦାର ବ୍ୟାଟସମ୍ୟାନ ଦୀପକ ହୁଡ୍ଡାଙ୍କୁ ଦଳରେ ସାମିଲ୍ କରାଯାଇଛି। ଯଶପ୍ରୀତ ବୁମରା ଏବଂ ମହମ୍ମଦ ଶାମିଙ୍କୁ ଉଭୟ ଦିନିକିଆ ଏବଂ ଟି-୨୦ ସିରିଜ୍‌ରୁ ବିଶ୍ରାମ ଦିଆଯାଇଛି।  ରବିଚନ୍ଦ୍ରନ  ଅଶ୍ଵିନଙ୍କୁ ଉଭୟ ଦିନିକିଆ ଏବଂ ଟି-୨୦ ଦଳରୁ ବାଦ୍ ଦିଆଯାଇଛି। ଭୁବନେଶ୍ଵର କୁମାରଙ୍କୁ ଦିନିକିଆ ଦଳରୁ ବାଦ୍ ଦିଆଯାଇଥିବା ବେଳେ ଟି-୨୦ ଦଳରେ ସାମିଲ୍ କରାଯାଇଛି। ଭେଙ୍କଟେଶ ଆୟରଙ୍କୁ ମଧ୍ୟ ଦିନିକିଆ ଦଳରୁ ବାଦ୍ ଦିଆଯାଇ ଟି-୨୦ ଦଳରେ ନିଆଯାଇଛି।

ସୁସ୍ଥ  ଲାଭ କରୁଥିବା ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଦଳରେ ସାମିଲ୍ ହେବାକୁ ଆଉ କିଛି ସମୟ ଲାଗିବ। ସେହି ପରି ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜାଙ୍କୁ ଶ୍ରୀଲଙ୍କା ସିରିଜ୍‌ରେ ଦଳରେ ପ୍ରତ୍ୟାବର୍ତ୍ତନ କରିବାର ସମ୍ଭାବନା ରହିଛି। ଉଭୟ ଖେଳାଳି ବର୍ତ୍ତମାନ ଜାତୀୟ କ୍ରିକେଟ୍ ଏକାଡେମୀରେ ରିହାବିଲିଟେସନରେ ଥିବାରୁ ଦଳରେ ସାମିଲ୍ କରାଯାଇ ନାହିଁ। ଅଭେଶ ଖାନ ଉଭୟ ଦିନିକିଆ ଏବଂ ଟି-୨୦ ଦଳରେ ନିଜର ସ୍ଥାନ ବଜାୟ ରଖିଛନ୍ତି।

ଦିନିକିଆ ସିରିଜ୍: ରୋହିତ ଶର୍ମା(ଅଧିନାୟକ), କେଏଲ ରାହୁଲ(ଉପ ଅଧିନାୟକ), ଋତୁରାଜ ଗାଏକଓ୍ଵାଡ, ଶିଖର ଧାଓ୍ଵନ, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଶ୍ରେୟସ ଆୟର, ଦୀପକ ହୁଡ୍ଡା, ଋଷଭ ପନ୍ତ(ଓ୍ଵିକେଟ୍ କିପର), ଦୀପକ ଚହର, ଶାର୍ଦ୍ଦୁଳ ଠାକୁର, ୟୁଜବେନ୍ଦ୍ର ଚହଲ, କୁଲଦୀପ ଯାଦବ, ଓ୍ଵାଶିଂଟନ ସୁନ୍ଦର, ରବି ବିଶ୍ନୋଇ, ମହମ୍ମଦ ସିରାଜ, ପ୍ରସିଦ୍ଧ କ୍ରିଷ୍ଣା, ଅଭେଶ ଖାନ।

ଟି-୨୦ ଦଳ:ରୋହିତ ଶର୍ମା(ଅଧିନାୟକ), କେଏଲ ରାହୁଲ(ଉପ ଅଧିନାୟକ), ଇଶାନ କିଶନ, ବିରାଟ କୋହଲି, ଶ୍ରେୟସ ଆୟର, ସୂର୍ଯ୍ୟକୁମାର ଯାଦବ, ଋଭଷ ପନ୍ତ(ଓ୍ଵିକେଟ୍ କିପର), ଭେଙ୍କଟେଶ ଆୟର, ଦୀପକ ଚହର, ଶାର୍ଦ୍ଦୁଳ ଠାକୁର, ରବି ବିଶ୍ନୋଇ, ଅକ୍ଷର ପଟେଲ୍, ୟୁଜବେନ୍ଦ୍ର ଚହଲ, ଓ୍ଵାଶିଂଟନ ସୁନ୍ଦର, ମହମ୍ମଦ ସିରାଜ, ଭୁବନେଶ୍ଵର କୁମାର, ଅଭେଶ ଖାନ, ହର୍ଷଲ ପଟେଲ୍।

Comments (0)
Add Comment